ପିପିଲିକୁ ହାତେଇବା ନିମନ୍ତେ ବିପୁଳ କଳା ଟଙ୍କା ବ୍ୟବହାର କରିଛି ବିଜେଡି – ବିଜେପି

ଭୁବନେଶ୍ୱର, ଏନ୍ଏନ୍ଏସ୍: ସରକାରୀ କଳ ଓ ପୁଲିସ ପ୍ରଶାସନକୁ ଅପବ୍ୟବହାର କରି ନିର୍ବାଚନ ଜିତିବା ବିଜେଡିର ଅଭ୍ୟାସରେ ପରିଣତ ହୋଇଛି। କେବଳ ଅର୍ଥ ବଳ ବିଜେଡି ପାଇଁ ଏକମାତ୍ର ମାଧ୍ୟମ ହୋଇଛି। ପିପିଲି ଜନମତ ବିଜେପି ଆଡ଼କୁ ଢଳିବା ଦେଖି ଶାସକ ବିଜୁ ଜନତାଦଳ ଛାନିଆ ହୋଇପଡ଼ିଛି। ପିପିଲିକୁ ହାତେଇବା ନିମନ୍ତେ ବିଜେଡି ସମସ୍ତ ପ୍ରକାରର କଳ, ବଳ, ଅର୍ଥ ଓ ଅନୈତିକ କୌଶଳକୁ ବ୍ୟବହାର କରୁଥିବାର ପ୍ରମାଣିତ ହୋଇଛି। ଅଥଚ ବିଜେପି ବିରୋଧରେ ମିଛ ଅଭିଯୋଗ ଆଣୁଛି। ଦୂର୍ଘଟଣାଗସ୍ତ ଗାଡ଼ିରୁ ବିପୁଳ ଟଙ୍କା ମିଳିବା ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପିର ନେତାମାନେ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଦାବିକରିଛନ୍ତି।

ବୁଧବାର ବିଜେପିର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ କହିଥିଲେ, ପିପିଲି ନିର୍ବାଚନମଣ୍ଡଳୀ ହାଟସାହି ଅନ୍ତର୍ଗତ ବାଜପେୟୀ ଛକ ଠାରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଗାଡ଼ିରେ ଥିବା କଳା ବ୍ୟାଗରେ ବିପୁଳ ଟଙ୍କା ସହ ଶାସକ ବିଜେଡିର ଦଳୀୟ ପ୍ରଚାର ସାମଗ୍ରୀ,ଶଙ୍ଖଚିହ୍ନ ଥିବା ଟୋପି ଓ ଉତ୍ତରୀୟ ଆଦି ଅନ୍ୟ ଏକ ଗାଡ଼ିକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଗାଡ଼ିରେ ଶାସକଦଳ ନେତା ଏବଂ ସେମାନଙ୍କ ସହ କିଛି କର୍ମୀ ଥିଲେ। ପୁଲିସର ଉପସ୍ଥିତି ଓ ସହାୟତାରେ ବିଜେଡି କର୍ମୀମାନେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଅନ୍ୟ ଏକ ଗାଡ଼ିକୁ କ’ଣ ଟ୍ରାନ୍ସଫର କରିଥିଲେ? ପୁଲିସ ଏସକର୍ଟରେ ଶାସକ ବିଜେଡିର ବିପୁଳ ଟଙ୍କାକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ପୁଲିସ ଏସକର୍ଟରେ ବିଜେଡି ବିପୁଳ କଳା ଟଙ୍କା ବ୍ୟବହାର କରୁଛି, ଯାହାକି ଗଣତନ୍ତ୍ର ପ୍ରତି ଏକ ଉପହାସ। ଗଣମାଧ୍ୟମକୁ ଶ୍ରୀ ସାମଲ ପରେ କହିଥିଲେ, ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଫଟୋ ଓ ନମ୍ବର, ପର୍ଯ୍ୟାପ୍ତ ପରିମାଣ ଅର୍ଥ ଥିବା କଳା ରଙ୍ଗର ବ୍ୟାଗ୍ର ଫଟୋ ସହଦଳୀୟ ପ୍ରଚାର ପାଇଁ ବ୍ୟବହୃତ ପ୍ରଚାର ସାମଗ୍ରୀର ଫଟୋ ଆଦି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭେଟି ପ୍ରଦାନ କରିଛୁ। ଏ ସମ୍ପର୍କରେ ଏକ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ସିଇଓଙ୍କ ନିକଟରେ ଦାବି କରାଯାଇଛି। ପ୍ରତିନିଧିଦଳରେ ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ସୋନାଲୀ ସାହୁ ଓ ଲିଗାଲକୋର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।