ସ୍ମିତାରାଣି ମୃତ୍ୟୁ ଘଟଣାରେ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ଆସନ୍ତା ୨୮ରେ ମହିଳା କମିଶନ କାର୍ୟ୍ୟାଳୟ ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଯାଜପୁରର ପିଇଓ ସ୍ମିତାରାଣି ବିଶ୍ୱାଳ ହତ୍ୟା ଘଟଣାରେ ତଦନ୍ତ କରିଛନ୍ତି ବୋଲି ମହିଳା କମିଶନ ଅଧ୍ୟକ୍ଷା ମିଛ କହିଛନ୍ତି । ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ନହେଲେ ଆସନ୍ତା ୨୮ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନ କାର୍ୟ୍ୟାଳୟ ଘେରାଉ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା ।

ସେ କହିଛନ୍ତି ଯେ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜୁ ଜନତା ଦଳର ଏକ ରାଜନୈତିକ ପଦବି ନୁହେଁ । ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ଯେଉଁଭଳି ଭାବରେ ବଳାତ୍କାର କରି ପରେ ହତ୍ୟା କରାଗଲା ସେତେବେଳେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ପ୍ରଥମେ ଚୁପ ରହିଲେ । ପରେ କହିଲେ ସେ ନିରପେକ୍ଷ ତଦନ୍ତ ସାରିଛନ୍ତି । ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ । ଗତ ୧୯ ତାରିଖରେ ସେ ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି କହୁଛନ୍ତି ଯାହା ସମ୍ପୃର୍ଣ୍ଣ ମିଛ ବୋଲି ସେ ଅଭିଯୋଗ କରିଛନ୍ତି ।

ମହିଳା କମିଶନ ଅଧ୍ୟକ୍ଷା ସ୍ମୀତାରାଣିଙ୍କର ଗାଁକୁ ବି ଯାଇନାହାନ୍ତି ବୋଲି ସେ ଗାଁ ଲୋକ କହୁଛନ୍ତି । ସ୍ମୀତାରାଣୀଙ୍କର ସହଯୋଗୀ କର୍ମଚାରିମାନଙ୍କ ସହିତ ବି କଥା ହୋଇନାହାନ୍ତି ବୋଲି ସେ ବ୍ଲକର କର୍ମଚାରିମାନେ କହୁଛନ୍ତି । ସ୍ଥାନୀୟ ଧର୍ମଶାଳା ପୁଲିସ ପାଖରେ ବି ଖବର ନାହିଁ କି ମହିଳା କମିଶନ ଅଧ୍ୟକ୍ଷା କେବେ ଆସିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସ୍ଥାନୀୟ ଗଣମାଧ୍ୟମ ପାଖରେ ବି ଖବର ନାହିଁ କି ମହିଳା କମିଶନ ଅଧ୍ୟକ୍ଷା କେବେ ଆସିଥିଲେ । ବଂର ମହିଳା କମିଶନର ଅଧ୍ୟକ୍ଷା ଆସାମୀ ରୁପେଶ ଭଦ୍ରଙ୍କ ପରିବାରକୁ ଭେଟିଲେ ବୋଲି ଗଣମାଧ୍ୟମରେ କହିଲେ । ବଡ ଆଶ୍ଚର୍ୟ୍ୟର କଥା ଆସାମୀ ପରିବାର ସହିତ କଥା ହେଲେ ମହିଳା କମିଶନ ଅଧ୍ୟକ୍ଷା କିନ୍ତୁ ପିଡିତା ପରିବାରକୁ ଭେଟିଲେ ନାହିଁ । ଏପରି ମିଛେଇ ମହିଳା କମିଶନ ଅଧ୍ୟକ୍ଷା ଓଡିଶାର ମହିଳାମାନଙ୍କୁ ନ୍ୟାୟ ଦେଇପାରିବେ ନାହିଁ । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ନହେଲେ ଆସନ୍ତା ୨୮ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନ କାର୍ୟ୍ୟାଳୟ ଘେରାଉ କରିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।