ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ

ଭୁବନେଶ୍ବର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ମଙ୍ଗଳବାର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଇଛି। ସ୍ମିତାରାଣୀ ମୃତ୍ୟୁ ମାମଲର ସିବିଆଇ ତଦନ୍ତ, ଯାଜପୁର ଏସ୍ପି ଚରଣ ସିଂ ମିନା ଓ ମହିଳା କମିସନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ଆଜି ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ଏହି ପ୍ରତିବାଦ କରାଯାଇଛି।

ଶ୍ରୀମତି ପରିଡା ଅଭିଯୋଗ କରିଛନ୍ତି ଯେ ସ୍ମିତାରାଣୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାନଯାଇ ପୁଲିସ ପୀଡିତାଙ୍କ ସ୍ବାମୀଙ୍କୁ ବ୍ଲାକ୍‌ମେଲ କରୁଛି। ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ଏହି ମାମଲାକୁ ଗୁରୁତ୍ବ ସହ ନନେଇ ଚୁପ୍ ବସିଛନ୍ତି। ତେଣୁ ସ୍ମିତାରାଣୀଙ୍କୁ ପ୍ରଥମେ ହତ୍ୟା ଓ ପରେ ତାହାକୁ ଆତ୍ମହତ୍ୟା ରୂପ ଦେବା, ଏହା ସହ ତାଙ୍କ ଚରିତ୍ର ସହ ଖେଳ ହେଉଥିବା ଦର୍ଶାଇଛି। ଏ ନେଇ ବିଜେପି ମହିଳା ମୋର୍ଚ୍ଛା ପକ୍ଷରୁ ଯାଜପୁର ଏସ୍ପି ଓ ମହିଳା କମିସନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି ହୋଇଛି।