ର୍ଦୁବ୍ୟବହାର କରିବାରୁ ପିଟିଲି : ବିଜେପି ନେତ୍ରୀ ସୋନାଲୀ

ନୂଆଦିଲ୍ଲୀ: ଟିକଟକ ଷ୍ଟାର ଓ ବିଜେପି ନେତ୍ରୀ ସୋନାଲୀ ଫୋଗତ ଜଣେ ଅଧିକାରୀଙ୍କୁ ଚାପୁଡ଼ା ମାରି ବିବାଦରେ ଫସି ଯାଇଛନ୍ତି। ପରେ ଏହି ଘଟଣାକୁ ନେଇ କଂଗ୍ରେସ ହରିୟାଣା ସରକାରକୁ ଟାର୍ଗେଟ କରିଛି। ମାମଲା ଅଧିକ ଜଟିଳ ହେବା ଯୋଗୁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସୋନାଲୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏଥିସହିତ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ହରିୟାଣାର ହିସାରସ୍ଥିତ ଖାଦ୍ୟଶସ୍ୟ ମଣ୍ଡିର ବଜାର ଅଧିକାରୀ ସୁଲତାନ ସିଂଙ୍କୁ ବିଜେପି ନେତ୍ରୀ ସୋନାଲୀ ଚାପୁଡ଼ା ମାରିବା ସହ ଜୋତାରେ ପିଟିଥିଲେ। ଅଧିକାରୀଙ୍କୁ ଏପରି ପିଟୁଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ବିବାଦ ବଢ଼ିବା ପରେ ସୋନାଲୀ ସଫେଇ ଦେଇ କହିଥିଲେ ଯେ, ସେ ନିଜ ଅଂଚଳ ଆଦାମପୁରର କୃଷକଙ୍କ ସମସ୍ୟାକୁ ନେଇ ମଣ୍ଡି ଯାଇଥିଲେ। ସେଠାରେ ସେ ଉକ୍ତ ଅଧିକାରୀଙ୍କୁ ଡକାଇ କୃଷକଙ୍କ ସବୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ। କିନ୍ତୁ କର୍ମଚାରୀ ଜଣଙ୍କ ତାଙ୍କ ସହ ର୍ଦୁବ୍ୟବହାର କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିଲେ। ଏହାପରେ ତାଙ୍କୁ ତାଙ୍କ ଭାଷାରେ ବୁଝାଇବା ସହ ମହିଳାଙ୍କୁ ସମ୍ମାନ କରିବା କେତେ ଜରୁରୀ ବୋଲି ଅନୁଭବ କରାଇବା ପାଇଁ ସେ ପିଟିଥିଲେ। ଅନ୍ୟପଟେ ଅଧିକାରୀ ସୁଲତାନ ସିଂ କହିଛନ୍ତି କି, ସୋନାଲୀ ତାଙ୍କୁ ଏକାକି ଡାକି ତାଙ୍କ ଉପରେ ଆଦମପୁର ବିଧାନସଭା ନିର୍ବାଚନରେ ବିରୋଧ କରିବାର ଆରୋପ ଲଗାଇଥିଲେ। ଆଉ ନିଜ ଉପରୁ ନିୟନ୍ତ୍ରଣ ହରାଇ ତାଙ୍କୁ ପିଟିଥିଲେ। ପିଟିବା ପରେ ସୋନାଲୀଙ୍କ ଲୋକ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି କ୍ଷମାପ୍ରାର୍ଥନା କରାଇଥିଲେ।

ସୁଲତାନ ସିଂଙ୍କ ଅଭିଯୋଗ ଅନୁସାରେ ସୋନାଲୀ ଓ ତାଙ୍କ ସାଥୀଙ୍କ ଉପରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୪୭, ୧୪୯, ୩୩୨, ୩୫୩, ୧୮୬ ଓ ୫୦୬ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି। ସେହିପରି ସୋନାଲୀଙ୍କ ଅଭିଯୋଗ ଅନୁସାରେ ସୁଲତାନ ସିଂଙ୍କ ବିରୋଧରେ ଧାରା ୩୫୪ ଓ ୫୦୯ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି।