ଭୁବନେଶ୍ୱର,ଏନ୍ଏନ୍ଏସ୍: ଶାଳୀନତା ରକ୍ଷା ସହିତ ନିମ୍ନରୁଚିର ମନ୍ତବ୍ୟ ନଦେବା ପାଇଁ ବାରମ୍ବାର ଅନୁରୋଧ ସତ୍ତେ୍ୱ ବି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଏଥିରୁ ନିବୃତ୍ତ ରହୁନାହାନ୍ତି। ପ୍ରତିହିଂସା ପରାୟଣ ସହିତ ବ୍ୟକ୍ତିଗତ ରାଗ ଶୁଝାଇବା ପାଇଁ ସେ ଏଭଳି ବକ୍ତବ୍ୟ ରଖୁଥିବା ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ଡକ୍ଟର ପାତ୍ର କହିଛନ୍ତି ଯେ, ୨୦୧୪ ଓ ୨୦୧୯ରେ ଲେଖାଶ୍ରୀ ବିଜେଡି ଟିକଟ ଖଣ୍ଡିଏ ପାଇବା ପାଇଁ ଉଦ୍ୟମ କରିଥିଲେ, ମାତ୍ର ଟିକଟ ନମିଳିବାରୁ ପ୍ରତିହିଂସା ପରାୟଣ ହୋଇ ରାଗ ଶୁଝାଇବା ପାଇଁ ଏଭଳି ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି। ୨୦୧୯ରେ ଯେତେବେଳେ ତୁଷାରକାନ୍ତି ବେହେରା ଓ ଭାଗିରଥୀ ସେଠୀ ବିଜେଡିରେ ଯୋଗଦେଲେ ସେତେବେଳେ ଲେଖାଶ୍ରୀ ବିଜେଡିର ସାଧାରଣ ସମ୍ପାଦକ(ସଂଗଠନ)ଙ୍କୁ ଦଳରେ ମିଶିବାପାଇଁ ଅନୁରୋଧ କରିବା ସହିତ ତାଙ୍କୁ ବିଜେପି ଏକଘରକିଆ କରୁଥିବା କହିଥିଲେ। ଏପରିକି ସେ କହିଥିଲେ ଯେ ଯେଉଁମାନେ ନିଜର ଚାକିରି ଓ ବୃତ୍ତି ଛାଡି ବିଜେଡିରେ ଯୋଗ ଦେଉଛନ୍ତି ସେମାନଙ୍କୁ ଏଠାରେ ସୁଯୋଗ ମିଳୁଛି। ହେଲେ ସେ ଶିକ୍ଷକତା ଛାଡ଼ି ବିଜେପିରେ ମିଶିଥିଲେ ମଧ୍ୟ ଦଳରେ ନିଜର କୌଣସି ଭବିଷ୍ୟତ ଦେଖିପାରୁ ନାହାନ୍ତି। ତେଣୁ ବିଜେଡିରୁ ଖଣ୍ଡିଏ ଟିକଟ ପାଇବାପାଇଁ କାକୁତି ମିନତି ହୋଇଥିଲେ।
କିନ୍ତୁ ତାଙ୍କର ଅତୀତ କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ବିଜେଡି ତାଙ୍କୁ ଟିକଟ ଦେଇନାହିଁ। ଏଥିପାଇଁ ସେ କ୍ରୋଧରେ ଏଭଳି ଭିତ୍ତିହୀନ ମନ୍ତବ୍ୟମାନ ଦେଉଛନ୍ତି। ଏପରିକି ଦଳରେ ମିଶିବାପାଇଁ ଯେଉଁମାନଙ୍କୁ ସେ କାକୁତି ମିନତି ହେଉଥିଲେ ତାଙ୍କ ବିରୋଧରେ ମନ୍ତବ୍ୟ ଦେବାକୁ ମଧ୍ୟ ପଛଉ ନାହାନ୍ତି। ସେହିପରି ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାପାଇଁ ବିଜେଡି ବାରମ୍ବାର କହିଆସୁଥିବା ବେଳେ ବିଜେପି ନେତାମାନେ ଏଭଳି ଘଟଣାକୁ ନେଇ ଅତ୍ୟନ୍ତ ନିମ୍ନରୁଚିର ରାଜନୀତି କରୁଛନ୍ତି। ଯଦି ଏଭଳି ସ୍ପର୍ଶକାତର ଘଟଣାରେ କୌଣସି ତଥ୍ୟ ପ୍ରମାଣ ଥାଏ ତେବେ ତାହାକୁ ପୁଲିସ କିମ୍ବା ଅଦାଲତକୁ ଦେବା ସହିତ ସର୍ବସାଧାରଣରେ ପ୍ରକାଶ ପାଇଁ ଡ.ପାତ୍ର କହିଛନ୍ତି।