୧୦ ଘଣ୍ଟା ଚାଲିଲା ବିଜେପି ଶୀର୍ଷ ନେତାଙ୍କ ବୈଠକ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡ଼କୁ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଉ ଏହାର ଠିକ୍ ପରେ ହିଁ ଲୋକସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ସେଥିପାଇଁ ନିର୍ବାଚନ ପ୍ରସ୍ତୁତି ଓ ସଂଗଠନକୁ ମଜଭୁତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ରାଷ୍ଟ୍ରୀୟ ମହାସଚିବ ବିଏଲ ସନ୍ତୋଷ ନବନିର୍ମିତ ଆବାସିକ କାର୍ଯ୍ୟାଳୟ ପରିସରରେ ବୈଠକ କରିଥିଲେ । ବିଜେପିର ଉଚ୍ଚସ୍ତରୀୟ ବୈଠକ ସୋମବାର ବିଳମ୍ବିତ ରାତିରେ ୪ ଘଣ୍ଟା ଏବଂ ମଙ୍ଗଳବାର ସକାଳେ ପ୍ରାୟ ୬ ଘଣ୍ଟା ହୋଇଥିଲା ।

ସୂତ୍ର ମୁତାବକ, ଉକ୍ତ ବୈଠକରେ ସଂଗଠନରେ ଖାଲି ପଡ଼ିଥିବା ପଦକୁ ପୂରଣ କରିବା ସହ ଅଦଳବଦଳକୁ ନେଇ ଚର୍ଚ୍ଚା ହୋଇଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଦେଶ ପ୍ରଭାରୀ ବଦଳାଇବାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା ।