ବିଜେପି ଜାରିକଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର, ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାବେଳେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଗୋଟିଏ ଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପୂର୍ବରୁ ଏ କାମ ସାରିଦେଇଛନ୍ତି। ଆସନ୍ତା ୧୭ ତାରିଖରେ ପଡ଼ିବ ଭୋଟ୍। ଇତିମଧ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରର ମଙ୍ଗ ଧରିବାକୁ ୩୦ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରିକରିଛି ରାଜ୍ୟ ବିଜେପି।
ଏହି ତାଲିକାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏକ ନମ୍ବରରେ ରହିଛନ୍ତି। ପଛକୁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟପାଲ ସିଂ ତୋମାର, ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ପ୍ରମୁଖ ରହିଛନ୍ତି। ଅନ୍ୟ ଚର୍ଚ୍ଚିତ ବିଜେପି ନେତାଙ୍କ ମଧ୍ୟରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜୁଏଲ ଓରାମ, ବିଶ୍ୱେଶ୍ୱର ଟୁଡୁ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ବରିଷ୍ଠ ନେତା କେଭି ସିଂଦେଓ, ମନମୋହନ ସାମଲ, ବିଜୟ ମହାପାତ୍ର, ଖାରବେଳ ସ୍ୱାଇଁ, ପ୍ରକାଶ ମିଶ୍ର, ସୁରମା ପାଢ଼ୀ, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ସ୍ଥାନ ପାଇଛନ୍ତି। ଏହାସହ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ସମ୍ପାଦିକା ପିଙ୍କି ପ୍ରଧାନ, ଅନୁ ଚୌଧୁରୀ, ଶ୍ରୀତମ ଦାସ ଏବଂ ହରିହର ମହାପାତ୍ର ମଧ୍ୟ ଷ୍ଟାର ପ୍ରଚାରକ ସାଜି ଦଳୀୟ ପ୍ରାର୍ଥୀଙ୍କ ଲାଗି ମୈଦାନକୁ ଓହ୍ଲାଇବେ। ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷଦିନ ମଙ୍ଗଳବାର ଥିବା ବେଳେ ବୁଧବାର ସବୁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ହେବ। ସେହିଭଳି ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୩ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ୧୭ ଏପ୍ରିଲରେ ଭୋଟଗ୍ରହଣ ପରେ ମେ ୨ ତାରିଖରେ ଗଣତି ପ୍ରକ୍ରିୟା ହେବା ସାଙ୍ଗକୁ ଫଳାଫଳ ପ୍ରକାଶ ପାଇବ। ୪ ମେ ସୁଦ୍ଧା ସମସ୍ତ ନିର୍ବାଚନୀ କାର୍ଯ୍ୟ ସାରିବାକୁ କମିଶନଙ୍କ ନିର୍ଦ୍ଦେଶ ରହିଛି।