ପରୀ ହତ୍ୟାକାଣ୍ଡ ଏବଂ ଆଗୁଆ ବିଧାନସଭା ବନ୍ଦ ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଧାନସଭାର ଶୀତ ଅଧିବେଶନକୁ ୩୦ ଦିନ ବାକି ଥାଇ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିବା ଏବଂ ପରୀକୁ ନ୍ୟାୟ ଦେବାରେ ସରକାର ବିଫଳ ହୋଇଥିବା ଦର୍ଶାଇ ଆଜି ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ। ବହୁ ବିଷୟରେ ଆଲୋଚନା ହେବାକୁ ଥିବା ବେଳେ ଅସାମ୍ବିଧାନିକ ଭାବେ ବିଧାନସଭାକୁ ଆଗୁଆ ବନ୍ଦ କରିଦିଆଗଲା। ବିଶେଷ କରି ପରୀ ହତ୍ୟାକାଣ୍ଡ ଘଟଣାରେ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାଲାଗି ସରକାର ଏଭଳି ନିଷ୍ପତ୍ତି ନେଲେ ବୋଲି ଏହି ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଲାଗି ହସ୍ତକ୍ଷେପ କରିବାକୁ ସେ ରାଜ୍ୟପାଳଙ୍କୁ ଜଣାଇଛନ୍ତି।

ଶ୍ରୀ ନାଏକ କହିଛନ୍ତି ଯେ, ଓଡିଶା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ଧାରା ୧୧ ଅନୁଯାୟୀ ପ୍ରତି କ୍ୟାଲେଣ୍ଡର ବର୍ଷରେ ତିନୋଟି ଅଧିବେଶନ(ବଜେଟ୍, ମୌସୁମୀ ଏବଂ ଶୀତକାଳୀନ) ଚାଲିବାର ନିୟମ ରହିଛି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୭୪ ପ୍ରତି ସାପେକ୍ଷ ହୋଇ ପ୍ରତିବର୍ଷ ସର୍ବନିମ୍ନ ୬୦ ଦିନ ବିଧାନସଭା ଚାଲିବା ନିହାତି ଆବଶ୍ୟକ। ମାତ୍ର ଚଳିତ ବର୍ଷ ରାଜ୍ୟ ସରକାର ବିଧାନସଭାରେ ବଜେଟ ଅଧିବେଶନ ୧୩ ଦିନ ପାଇଁ, ମୈାସୁମୀ ଅଧିବେଶନ ୭ ଦିନ ପାଇଁ ଏବଂ ଶୀତ ଅଧିବେଶନ ମାତ୍ର ୧୦ ଦିନ ପାଇଁ ଅନୁଷ୍ଠିତ କରାଇ ଯଥେଷ୍ଟ ସମୟ ପୂର୍ବରୁ ଅସାମ୍ବିଧାନିକ ଭାବେ ଗୃହ କାର୍ଯ୍ୟକୁ ମୁଲତବୀ କରି ଦେଇଛନ୍ତି। ଏହି କାରଣରୁ ବେକାରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା, ନରେଗା ଯୋଜନା ଅନିୟମିତତା, କୋଭିଡ-୧୯ କୁପରିଚାଳନା ଓ ଦୁର୍ନୀତି, ସମବାୟ ଦୁର୍ନୀତି ଭଳିି ଓଡ଼ିଶାବାସୀଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗୃହରେ ଆଲୋଚନା କରାଯାଇ ପାରିଲା ନାହିଁ। ଶାସକ ବିଜୁ ଜନତା ଦଳ ଉପରୋକ୍ତ ସମସ୍ୟାରୁ ନିଜକୁ ଦୁରେଇ ରଖିବା ପାଇଁ ଏବଂ ନିଜ ଭାବମୂର୍ତ୍ତି ରକ୍ଷା ପାଇଁ ବିଧାନସଭା ଗୃହକାର୍ଯ୍ୟକୁ ଜାଣିଶୁଣି ମୁଲତବୀ କରି ପଳାୟନପନ୍ଥୀ ସାଜୁଛନ୍ତି। ଏଭଳି ଘଟଣା ବାରମ୍ବାର ହେଉଛି। ଭାରତୀୟ ସମ୍ବିଧାନକୁ ରାଜ୍ୟ ସରକାର ଆଦୌ ସମ୍ମାନ ଦେଉନାହାନ୍ତି। ଏଣୁ ଏନେଇ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯାଛି ବୋଲି ବିରୋଧୀ ଦଳ ନେତା କହିଛନ୍ତି।

ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀର ଅପହରଣ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଆଉ ଏହି ଘଟଣାରେ ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ବିଭାଗର କ୍ୟାବିନେଟ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ନେଇ ପରୀଙ୍କ ବାପା ଅଶୋକ ସାହୁ ଓ ମା’ ସୈାଦାମିନୀ ସାହୁ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଗତକାଲି ପରୀର ଗାଁକୁ ବିଜେପି ପ୍ରତିନିଧି ଦଳ ଯାଇ ଗ୍ରାଉଣ୍ଡ ଜିରୋରୁ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛି। ନୟାଗଡ ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକରଙ୍କ ପାଇଁ ପୁଲିସ ଘଟଣାକୁ ଦିଗହରା କରିଛି। ସ୍ଥାନୀୟ ଥାନାର ତଦନ୍ତ ଅଧିକାରୀ ଘଟଣାକୁ ଗୁରୁତର ସହ ଗ୍ରହଣ କରିନାହାନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ଚଳିତ ବିଧାନସଭା ଅଧିବେଶନରେ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରାଯାଇଥିଲା। ହେଲେ ମନ୍ତ୍ରୀଙ୍କ ସଂପୃକ୍ତି ବାବଦରେ ସରକାର ଗୃହରେ ନୀରବ ରହିବା ଏହି ଘଟଣାକୁ ଜଟିଳ କରିଦେଉଛି। ଏଣୁ ତୁରନ୍ତ ମାନ୍ୟବର ରାଜ୍ୟପାଳ ଏଥିରେ ହସ୍ତକ୍ଷେପ କରିବାକୁ ଆମେ ଅନୁରୋଧ କରିଛୁ ବୋଲି ଶ୍ରୀ ନାଏକ ଜଣାଇଛନ୍ତି।  ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଭେଟିଥିବା ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, କୁସୁମ ଟେଟେ, ନାଉରୀ ନାୟକ, ଭାସ୍କର ମଢେଇ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡା.ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ଭବାନୀ ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢୀ ପ୍ରମୁଖ ବିଧାୟକମାନେ ଉପସ୍ଥିତ ଥିଲେ।