ବିଜେପି ହରିଜନ ମୋର୍ଚ୍ଚା ସଭାପତିଙ୍କୁ ହତ୍ୟା

ଅନୁଗୋଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ଅନ୍ତୁଳିଆ ପଞ୍ଚାୟତ ଅନ୍ତର୍ଗତ ୭ ନଂ ୱାର୍ଡସଭ୍ୟ ତଥା ବିଜେପି ସାତକୋଶିଆ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ଜଗବନ୍ଧୁ ବେହେରାଙ୍କୁ ହତ୍ୟା କରାଯାଇଛି। ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ପ୍ରକାଶ ଯେ, ଜମି ବାଡ଼ିକୁ ନେଇ ଅନ୍ତୁଳିଆ ଗ୍ରାମର ଜଗବନ୍ଧୁ ବେହେରା ଓ ସଦାନନ୍ଦ ଗୌଡ଼ଙ୍କ ମଧ୍ୟରେ ପୂର୍ବରୁ ବିବାଦ ଥିଲା। ତେବେ ରବିବାର ସନ୍ଧ୍ୟାରେ ଜଗବନ୍ଧୁ ଗାଁ ଛକରେ ଛିଡ଼ା ହୋଇଥିବାବେଳେ ସଦାନନ୍ଦ ହଠାତ ଏକ ଛୁରିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଗବନ୍ଧୁଙ୍କ ମୃତ୍ୟୁ ହୋଇଥିଲା। ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସଦାନନ୍ଦ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାର ଛାନଭିନ କରୁଛି।