ବିଜେପିର ନିର୍ଣ୍ଣାୟକ ଲଢ଼େଇ; ଥାନା ପରିସରରେ ରାତି କାଟିଲେ ତୁଙ୍ଗ ନେତା

ସମ୍ବଲପୁର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଓ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିସାରିଛି ବିଜେପି। ମଣ୍ଡିରୁ ଧାନ ନ ଉଠିବା ପର୍ଯ୍ୟନ୍ତ ବିଜେପିର ବରିଷ୍ଠ ନେତୃବୃନ୍ଦ ଥାନାରୁ ଉଠିବେ ନାହିଁ ବୋଲି ଗତକାଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହାପରେ ସମ୍ବଲପୁର ଟାଉନ ଥାନା ପରିସରରେ ସାରା ରାତି ଉଜାଗର ରହି ପ୍ରତିବାଦ କରିଛନ୍ତି ବିଜେପିର ତୁଙ୍ଗ ନେତା।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଅନେକ ନେତା ଓ କର୍ମୀ ସମ୍ବଲପୁର ଟାଉନ ଥାନା ପରିସରରେ ରାତିସାରା ବସି ରହିଛନ୍ତି। ଚାଷୀ ସାମ୍ନା କରୁଥିବା ମଣ୍ଡି ସମସ୍ୟା, ଟୋକନ୍ ଅବ୍ୟବସ୍ଥା, ଧାନ କିଣାରେ କଟନିଛଟନୀ ଓ ବଳକା ଧାନ ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ପ୍ରତିବାଦ ଜାରି ରହିଛି।

ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁରରେ ଆରଡିସି ଅଫିସ ଘେରାଉ ସହ ବିଶାଳ ଚାଷୀ ସମାବେଶ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଧାନ କିଣାରେ ଅନିୟମିତତା ଚାଲିଥିବା ସରକାର ସ୍ୱୀକାର କରିବା ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୫ଟି ପ୍ୟାକ୍ସର ସମ୍ପାଦକଙ୍କୁ ନିଲମ୍ବନ କରିଛନ୍ତି। ଏହାସହିତ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ କାର୍ଯ୍ୟରୁ ବହିଷ୍କାର କରାଯାଇଛି।

ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଓ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣବିକ୍ଷୋଭ କରିଥିବା ବିଜେପି ପକ୍ଷରୁ ଗତକାଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଥିଲା। ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ବିଜେପିର ବରିଷ୍ଠ ନେତୃବୃନ୍ଦ ଥାନାରୁ ଉଠିବେ ନାହିଁ ଓ ଚାଷୀଙ୍କ ସ୍ୱାର୍ଥ ପାଇଁ ନିର୍ଣ୍ଣାୟକ ଲଢ଼େଇ କରିବାକୁ ବିଜେପି ପ୍ରସ୍ତୁତ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ।