ପାଟଣାଗଡ,ଏନ୍ଏନ୍ଏସ୍: ଶନିବାର ସ୍ଥାନୀୟ ଗଡଭିତରସ୍ଥିତ କଲ୍ୟାଣ ମଣ୍ଡପଠାରେ ବଲାଙ୍ଗିର ଜିଲ୍ଲା କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ମାଧବ କୁମାର ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ତଥା ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ, କାମାକ୍ଷା ପ୍ରସାଦ ପ୍ରଧାନ, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ଦୁର୍ଯ୍ୟୋଧନ ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ସତ୍ୟବାଦୀ ଚାଇନୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ପ୍ରସ୍ତୁତ ରାଜନୈତିକ ଚିଠାରେ କେନ୍ଦ୍ରୀୟ ଟୋକନ ବ୍ୟବସ୍ଥାକୁ ବନ୍ଦ କରି ସ୍ଥାନୀୟ ସ୍ତରରେ ଟୋକନ ବ୍ୟବସ୍ଥା ଲାଗୁ କରିବାକୁ, ଏଫ୍.ଏ.କ୍ୟୁ. ମାନ ଆଳକରି ଚାଷୀଙ୍କ ଠାରୁ ୧୦ ରୁ ୧୫ କେ.ଜି. କଟନୀ କରାଯାଉଥିବା ବ୍ୟବସ୍ଥାକୁ ବନ୍ଦ କରିବାକୁ, ମଣ୍ଡିମାନଙ୍କର ଭିତ୍ତିଭୂମିର ବିକାଶ କରାଯାଇ ଚାଷୀଙ୍କୁ ଖୋଲା ଆକାଶ ତଳେ ଶସ୍ୟ ପକାଇ ରଖିବାରୁ ରକ୍ଷା କରାଯିବାକୁ କୃଷକ ମୋର୍ଚ୍ଚା ଦାବୀ କରିଛି।
ଏହାବ୍ୟତୀତ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ଟ ୩୮.୮୦ ହିସାବରେ ନିୟନ୍ତ୍ରିତ ବଜାର କମିଟିକୁ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ଉକ୍ତ ଅର୍ଥକୁ ସଠିକ୍ ବିନିଯୋଗ ନକରି ନିଜ ପ୍ରଚାର ପାଇଁ ବ୍ୟବହାର କରୁଥିବା ଦର୍ଶାଇ ବିଜେପି କୃଷକ ମୋର୍ଚ୍ଚା ଏହାର ଦୃଢ ନିନ୍ଦା କରିଛି। ମରୁଡି କ୍ଷୟକ୍ଷତିର ଆକଳନ କରି ତୁରନ୍ତ ବୀମାରାଶି ପ୍ରଦାନ କରାଯିବାକୁ, ମଣ୍ଡି ମାନଙ୍କରେ ଦଲାଲରାଜ ବନ୍ଦ କରାଯିବାକୁ ମଧ୍ୟ ଦାବୀ କରାଯାଇଛି। ମୋର୍ଚ୍ଚାର ରାଜ୍ୟ ସଂପାଦକ ଟଙ୍କଧର ପ୍ରଧାନ ଉକ୍ତ ରାଜନୈତିକ ଚିଠା ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ନିକଟ ଅତୀତରେ ପଞ୍ଜାବ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ହୋଇଥିବା ଆକ୍ରମଣ ଉଦ୍ୟମକୁ ଦୃଢ ନିନ୍ଦା କରାଯିବା ସହ ସୁରକ୍ଷା ବ୍ୟବସ୍ଥାରେ ତୃଟି କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବାଲି ପୃଷ୍ଟି, ବଲ୍ଲଭ ଧରୁଆ, ଉମେଶ ପଟେଲ, ରଘୁ ସାହୁ, ପୀତାମ୍ବର କଣ୍ଟା, ସୀତାରାମ ପ୍ରଧାନ, ଅକ୍ଷୟ ରଣା, ସୁରୁ ସିଂ ନିନା ପ୍ରମୁଖ ଉକ୍ତ ବୈଠକରେ ଉପସ୍ଥିତ ଥିଲେ।