ଶାଳୀନତାର ସବୁ ସୀମା ଲଂଘୁଛି ବିଜେପି: ବିଜେଡି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶାଳୀନତାର ସବୁ ସୀମା ଲଂଘୁଛି ବିଜେପି। ଆଚରଣ ଓ ଉଚ୍ଚାରଣ ଓଡ଼ିଆ ସଂସ୍କୃତିର ବିରୋଧୀ। ଲୋକେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଗକୁ ବି ଲୋକେ କ୍ଷମା କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ମହଙ୍ଗା ପଡ଼ିବ। ବିଜେପି ବିରୋଧରେ ଏଭଳି ଢଙ୍ଗରେ ବିଶୋଦ୍‌ଗାର କରିଛି ଶାସକ ବିଜେଡି। ଦଳର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଜେପି ନେତାମାନେ ସୋମବାର ରାଜ୍ୟବାସୀଙ୍କ ଦ୍ୱାରା ନିର୍ବାଚିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁଭଳି ଅଶାଳୀନ ଭାଷାରେ ଚିଠି ଲେଖିଛନ୍ତି, ତାହା ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଘୋର ବିରୋଧୀ। ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଅଶୋଭନୀୟ। ଏହାକୁ ଆମେ ତୀବ୍ର ନିନ୍ଦା କରୁଛୁ।

ସେ କହିଛନ୍ତି ଯେ ଓଡ଼ିଶା ରାଜନୀତିରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଗୃହ ଭିତରେ ଓ ବାହାରେ ଅନେକବାର ମତାନ୍ତର ଓ ବିତର୍କ ହୋଇଛି। ବିରୋଧୀଦଳ ଶାସକଦଳକୁ ସମାଲୋଚନା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି। କିନ୍ତୁ କେବେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ରାଜନୈତିକ ମର୍ଯ୍ୟାଦାକୁ କ୍ଷୁଣ୍ଣ କରି ନାହାନ୍ତି। ମାତ୍ର ବିଗତ କିଛିବର୍ଷ ହେଲା ରାଜ୍ୟରେ ବିରୋଧୀ ଆସନରେ ବସିଥିବା ବିଜେପି ଏହି ମର୍ଯ୍ୟାଦା ଓ ମୂଲ୍ୟବୋଧକୁ ଭୁଲି ମୁଖ୍ୟମନ୍ତ୍ରୀ ଓ ଶାସକ ଦଳକୁ ବିରୋଧ କରିବା ଲାଗି ଅତି ନିମ୍ନସ୍ତରକୁ ଓହ୍ଲାଇଯାଇଛି।

ବିଜେପୁର ଉପନିର୍ବାଚନ କଥା ସ୍ମରଣ କରି ଶ୍ରୀମତୀ ମଲ୍ଲିକ ଦର୍ଶାଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିବାବେଳେ ବିଜେପି ପକ୍ଷରୁ ତାଙ୍କ ଉପରେ ବୋତଲ ମାଡ଼ ହୋଇଥିବାବେଳେ ସଭାମଞ୍ଚକୁ ଚପଲ ଫିଙ୍ଗା ଯାଇଥିଲା। ସେହିଭଳି ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଓ ଯଜ୍ଞ କର୍ମ ସାରି ଫେରୁଥିବାବେଳେ ଶ୍ରୀକ୍ଷେତ୍ରର ପବିତ୍ର ମାଟିରେ ବିଜେପି କର୍ମୀମାନେ ତାଙ୍କ ଉପରକୁ ଅଣ୍ଡାମାଡ଼ କରିବାକୁ ପଛାଇ ନଥିଲେ। ଧର୍ମ ନାଁରେ ରାଜନୀତି କରୁଥିବା ବିଜେପିରଏଭଳି କୁକାର୍ଯ୍ୟ ରାଜ୍ୟବାସୀଙ୍କ ଧର୍ମୀୟ ଭାବନାକୁ କୁଠାରାଘାତ କରିଥିଲା।

ଶ୍ରୀକ୍ଷେତ୍ର ସମେତ ଓଡ଼ିଶାର ବିଭିନ୍ନଜଗନ୍ନାଥ ମନ୍ଦିରର ସେବାୟତମାନେ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରି ବିରୋଧ ପ୍ରଦର୍ଶନ କରିଥିଲେ। ମାତ୍ର ବାରମ୍ବାର ଏଭଳି ଅଶାଳୀନ ଆଚରଣ ପ୍ରଦର୍ଶନ କରି ନିନ୍ଦିତ ହେଉଥିବା ବିଜେପି ଏଥିରୁ କିଛି ଶିଖିଲା ଭଳି ମନେ ହେଉନାହିଁ। ଏବେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଚିଠି ଲେଖି ବିଜେପି ନେତାମାନେ ସେମାନଙ୍କ ନିମ୍ନ ରୁଚି, ବିକୃତ ସଂସ୍କାର ଓ ନକାରାତ୍ମକ ମାନସିକତାର ପରିଚୟ ଦେଇଛନ୍ତି। ଶ୍ରୀଜଗନ୍ନାଥଙ୍କ ମହାନ ସଂସ୍କୃତି ଓ ଉଚ୍ଚ ପରମ୍ପରାରେ ବିଶ୍ୱାସ କରୁଥିବା ସାଢ଼େ ଚାରି କୋଟି ସ୍ୱାଭିମାନୀ ଓଡ଼ିଆ ବିଜେପିର ଏଭଳି ଅଶୋଭନୀୟ ଆରରଣ ଓ ଉଚ୍ଚାରଣକୁକେବେ ହେଲେ କ୍ଷମା ଦେବେନାହିଁ। ଓଡ଼ିଶାବାସୀଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇଥିବା ବିଜେପିକୁ ଏହାନିଶ୍ଚିତ ମହଙ୍ଗା ପଡ଼ିବ। ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ ପ୍ରକାଶ କରିଛନ୍ତି।