ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି: ବିଜେଡି

ସମ୍ବଲପୁର,ଏନ୍ଏନ୍ଏସ୍: କୃଷକଙ୍କ ପାଇଁ ଗତକାଲିଠୁ ସମ୍ବଲପୁରରେ ବିଜେପି ପକ୍ଷରୁ ବିଶାଳ ସମାବେଶ କରାଯାଇଥିବା ବେଳେ ବିଜେପି ନେତାମାନେ ଗତକାଲି ରାତି ସାରା ଥାନାରେ ବସିରହିଥିଲେ। ମଣ୍ଡିରେ ଧାନ ନ ଉଠା ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ। ଏହାର ପ୍ରତିକ୍ରିୟାରେ ଡ୍ରାମା କରୁଛି ବିଜେପି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି। ଏଥିସହ ସେ କହିଛନ୍ତି କି ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି ଓ ଧାନ ସଂଗ୍ରହ ରେକର୍ଡ କରିଛି।

ବିଜେଡ଼ି ଚାଷୀଙ୍କ ସହ ରହିଛି ଓ ଚାଷୀଙ୍କ ସବୁ ଧାନ ସଂଗ୍ରହ କରାଯିବ। ତେବେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଥିବାରୁ ଦଲାଲଙ୍କ ପାଇଁ ଓକିଲାତି କରୁଛି ବିଜେପି ବୋଲି ବିଜେଡି ଅଭିଯୋଗ ଆଣିଛି।
ଏଥିସହିତ ସେ କହିଛନ୍ତି କି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନରୁ ନଜର ହଟାଇବା ଓ ଦଲାଲଙ୍କୁ ଲାଭାନ୍ୱିତ କରିବା ପାଇଁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି।