ବିଜେପିର କୋର କମିଟିର ବୈଠକ ଉପରେ ଶିବସେନା, ଏନସିପି ଏବଂ କଂଗ୍ରେସର ନଜର

ମହାରାଷ୍ଟ୍ର,ଏଜେନ୍ସି: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରବିବାର ରାଜ୍ୟପାଳଙ୍କ ଆମନ୍ତ୍ରଣରେ ବିଜେପି କାର୍ଯ୍ୟକାରୀ କମିଟିର ଏକ ବୈଠକ ବସିଛି। ଏହି ପରିପ୍ରେକ୍ଷୀରେ ଦେବେନ୍ଦ୍ର ଫଡନାବିସଙ୍କ ବାସଭବନରେ ବୈଠକ କରାଯାଇଛି। ତେବେ ଏହି ବୈଠକକୁ ଶିବସେନା, ଏନସିପି ଏବଂ କଂଗ୍ରେସର ନଜର ରହିଥିବା ଜଣାଯାଇଛି। ରାଜ୍ୟରେ ସରକାର ଗଠନ ନେଇ ରହିଥିବା ଗତିରୋଧକୁ ସମାପ୍ତ କରି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀ ଅଧିକ ଆସନ ଜିତିଥିବା ବିଜେପିର ନେତା ଦେବେନ୍ଦ୍ର ଫଡନାବିସଙ୍କୁ ସରକାର ଗଢ଼ିବା ପାଇଁ ଗତକାଲି ଆମନ୍ତ୍ରଣ କରିଥିଲେ। ବିଜେପି ଏବଂ ଶିବସେନା ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି।
ଆଜିର ଏହି ବୈଠକରେ ଦେବେନ୍ଦ୍ର ଫଡନାବିସଙ୍କ ବ୍ୟତୀତ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ, ବରିଷ୍ଠ ନେତା ଗିରୀଶ ମହାଜନ, ବିନୋଦ ତାଉଡେ, ଆଶିଷ ସେଲାର ଏବଂ ପଙ୍କଜ ମୁଣ୍ଡେ ପ୍ରମୁଖ ଉପସ୍ଥିତ ଅଛନ୍ତି।

ବିଜେପି ନେତା ସୁଧୀର ମୁଙ୍ଗତୱାର କହିଛନ୍ତି ଆଜି ଦଳର କୋର କମିଟି ବୈଠକରେ ସରକାର ଗଠନ ନେଇ ନିଷ୍ପତ୍ତି ନିଆଯିବ। ସେହିପରି ବିଜେପି-ଶିବସେନା ସହ ଯେକୌଣସି ସମୟରେ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ରହିଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ତାଙ୍କ ଦଳ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ସେ ଆହୁରି କହିଛନ୍ତି ଯେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ସରକାର ଗଢ଼ିବା ପାଇଁ ପ୍ରଥମ ଦାବିଦାର।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ଅନୁଷ୍ଠିତ ହୋଇଥିଲା ଏବଂ ଅକ୍ଟୋବର ୨୪ ତାରିଖ ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ତେବେ ଏହାକୁ ୧୫ଦିନ ବିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଆସନକୁ ନେଇ କୌଣସି ବୁଝାମଣା ହୋଇପାରିନଥିଲା। ପରେ ବହୁମତ ସାବ୍ୟସ୍ତ କରିବାକୁ ଯାଇ ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସରକାର ଗଢ଼ିବା ପାଇଁ ୧୪୫ ସଦସ୍ୟଙ୍କ ସମର୍ଥନ ଦରକାର। ବିଜେପିକୁ ୧୦୫ଟି ଆସନ ମିଳିଥିବା ବେଳେ ସହଯୋଗୀ ଦଳ ଶିବସେନାକୁ ୫୬ ଆସନ ମିଳିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇଦଳ ମଧ୍ୟରେ ଦ୍ୱନ୍ଦ ଲାଗିରହିଛି।