ଯାଜପୁର ଭିଏଲଡବ୍ଲୁ ମୃତ୍ୟୁ ଘଟଣାରେ ୨୧ରେ ବିଜେପିର ଯାଜପୁର ବନ୍ଦ ଡାକରା

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ମହିଳା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ଘଟଣାରେ ଯାଜପୁର ଜିଲା ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଆସନ୍ତା ୨୧(ସୋମବାର) ଦିନ ଯାଜପୁର ବନ୍ଦ ଡାକରା ଦିଆଯାଇଛି। ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ପୁଲିସର ସୂଚନାକୁ ବିରୋଧ କରି ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି।

ସ୍ମିତାରାଣୀଙ୍କ ହତ୍ୟା ମାମଲା ରାଜ୍ୟ ରାଜନୀତିରେ ଚହଳ ପକାଇଦେଇଛି। ଏହି ଘଟଣାକୁ ନେଇ ଶାସକ ବିଜେଡିକୁ ଘେରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଏହି ଘଟଣାରେ ବିଜେଡିର ନେତା ସମ୍ପୃକ୍ତି ଥିବା ଅଭିଯୋଗ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି କଂଗ୍ରେସ। ସେହିପରି ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର ଶନିବାର ସାମ୍ବାଦିକ ସମ୍ମିଳନୀ କରି ଘଟଣାରେ ବିଜେଡିର ସମ୍ପର୍କ ରହିଛି ଏବଂ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସର ପ୍ରତିନିଧି ଦଳ ହରିଦାସପୁର ଗସ୍ତ କରି ସ୍ମିତାରାଣୀଙ୍କ ପରିବାରକୁ ସାକ୍ଷାତ କରି ତଥ୍ୟ ସଂଗ୍ରହ କରିଥିଲେ।

ସୂଚନାଯୋଗ୍ୟ ଗତ ବୁଧବାର ଅପରାହ୍ନ ସମୟରେ ସ୍ମିତାରାଣୀ ଭତ୍ତା ଟଙ୍କା ବଣ୍ଟନ ପାଇଁ ପଞ୍ଚାୟତକୁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ଟଙ୍କା ବାଣ୍ଟି ଥିଲେ। ଅପରାହ୍ନ ସମୟରେ ସ୍ମିତାରାଣୀ ଖାଇବାକୁ ସରପଞ୍ଚଙ୍କ ନିଜସ୍ୱ କାର୍ୟ୍ୟାଳୟ ଗୃହକୁ ଯାଇଥିଲେ। ଖାଦ୍ୟ ଖାଇବା ପୂର୍ବରୁ ସେ ବାଥରୁମ ଯିବା ପାଇଁ କାର୍ୟ୍ୟାଳୟର ଉପରମହଲାକୁ ଯାଇଥିଲେ। ପରେ ରୁମ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା।