ମୋଦୀ ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବ୍ୟାପୀ ବିଜେପିର ରକ୍ତଦାନ ଶିବିର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ମେ’ ୩୦ ତାରିଖରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରକୁ ଦୁଇ ବର୍ଷ ପୁରିଛି। ଏଥିସହ ମୋଦୀଙ୍କ ନେତୃତ୍ୱରେ ୨୦୧୪ରୁ ଦେଶର ଶାସନ ଭାର ଗ୍ରହଣ କରିଥିବା ଏନଡିଏ ସରକାରକୁ ଇତିମଧ୍ୟରେ ୭ ବର୍ଷ ପୂର୍ତ୍ତି ହୋଇଛି। ଏହି ଦିନଟିକୁ ବିଜେପି ସାରା ଦେଶରେ ସେବା ଦିବସ ରୂପେ ପାଳିଛି ଏବଂ ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟ ଏବେ ବି ଚାଲୁରହିଛି। ଏହି ଅବସରରେ ଓଡ଼ିଶାର ସମସ୍ତ ୬,୭୯୮ ପଞ୍ଚାୟତ ଏବଂ ସହରାଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଦଳର ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ସମସ୍ତ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଞ୍ଚଳରେ ରେଡକ୍ରସ୍ ଓ ଜିଲ୍ଲା ପ୍ରଶାସନର ସହାୟତାରେ ଏହି ଶିବିରର ଆୟୋଜନ କରିଥିଲେ। ଦଳର ଯୁବ, ମହିଳା, କୃଷକ, ଏସ୍ଟି, ଏସ୍ସି, ସଂଖ୍ୟାଲଘୁ, ଓବିସି ମୋର୍ଚ୍ଚାର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ଏହି ରକ୍ତଦାନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦିକ ତଥା ରକ୍ତଦାନ ସେବା କାର୍ଯ୍ୟର ରାଜ୍ୟ ସଂଯୋଜିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।