ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲା ବିଜେପି

ଭୁବନେଶ୍ୱର, ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ଦୁଇଟି ସ୍ଥାନରେ ନିର୍ବାଚନ ଲଢିବା ଯୋଗୁଁ ବିଜେପୁରରେ ଆଜି ଉପନିର୍ବାଚନ ହେଉଛି। ଉପନିର୍ବାଚନ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ। ୬ ମାସ ଧରି ବିଜେପୁର ନିର୍ବାଚନମଣ୍ଡଳୀ ଅପ୍ରତିନିଧୀତ୍ୱ ହୋଇ ଚାଲିଛି। ସେ ଅଂଚଳର ଯେଉଁ ବିକାଶର କ୍ଷତି ହେଲା ସେଥିପାଇଁ ବି ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ବରଗଡ ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି।

୧- ମୁଖ୍ୟମନ୍ତ୍ରୀ ବିଜେପୁର ସାଧାରଣ ନିର୍ବାଚନ ପାଇଁ କାହିଁକି ଆସିଥିଲେ ଏବଂ କାହିଁକି ଛାଡିକି ପଲେଇଲେ ତା’ର ଉତ୍ତର ଦିଅନ୍ତୁ। ହିଂଜିଳି ନଛାଡି କାହିଁକି ବିଜେପୁର ଛାଡିଲେ। ହିଂଜିଳିରେ ହାରିବା ଭୟ ଯୋଗୁଁ ବିଜେପୁରରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିଲେ କି?

୨-୨୦୧୮ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ କି ବିଜେପୁର ବିକାଶର ଦାୟୀତ୍ୱ ମୁଁ ମୋ ହାତକୁ ନେଉଛି। ଏକ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ବିଜେପୁରରେ କ’ଣ ବିକାଶ କରିଛନ୍ତି ତାହା ସ୍ପଷ୍ଟ କରନ୍ତୁ।

୩- ବିଜେପୁରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେଥିମଧ୍ୟରୁ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଏଯାବତ ଆରମ୍ଭ ହେଲା ନାହିଁ କାହିଁକି? ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପ ଗୁଡିକରୁ କେତୋଟି ପ୍ରକଳ୍ପ ଆରମ୍ଭ ହୋଇଛି ତାହା ସ୍ପଷ୍ଟ କରନ୍ତୁ।

୪-ବରଗଡରେ ଚାଷୀମାନଙ୍କୁ ୧୦୦ ଟଙ୍କା ଦେବା ଲାଗି ବୋନସ ଘୋଷଣା ମୁଖ୍ୟମନ୍ତ୍ରୀ କରିଥିଲେ। କିନ୍ତୁ ଦେଲେ ନାହିଁ କାହିଁକି ?

୫- ୨୦୧୮ ଉପନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେପୁରରେ ଡାକ୍ତର, ଶିକ୍ଷକ ଆଦି ବିଭିନ୍ନ ପଦବୀ ପୂରଣ କରାଗଲା। କିନ୍ତୁ ର୍ଦୁଭାଗ୍ୟର କଥା କି, ନିର୍ବାଚନ ଭୋଟ ଗଣତି ଦିନ କେହି ବି ରହିଲେ ନାହିଁ। ସାଧାରଣ ନିର୍ବାଚନରେ ବି ସମାନ ଢଙ୍ଗରେ ଅସ୍ଥାୟୀ ଭାବେ କିଛି ସରକାରୀ କର୍ମଚାରୀଙ୍କୁ ଆଣି ବିଭିନ୍ନ ପଦପଦବୀରେ ରଖି ପରେ ସେମାନଙ୍କୁ ଫେରାଇ ନେବା ବିଜେପୁରବାସୀଙ୍କ ସ୍ୱାର୍ଥ ପାଇଁ କେତେ ଶୁଭଙ୍କର ତା’ର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ।