ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାରସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ଗତ ୧୩ ତାରିଖରୁ କରାଯାଉଥିବା ଜନ ଆନ୍ଦୋଳନ ଗୁରୁବାର ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ପ୍ରତ୍ୟାହୃତ ହୋଇଛି। ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅର୍ବାନ ସିଏଚସି ଘୋଷଣା, ଏଠାରେ ୫୦ ଶଯ୍ୟାର ବ୍ୟବସ୍ଥା ସହ ଅତିରିକ୍ତ ରୋଗୀ ସେବାର ପ୍ରଦାନ, ରୋଗୀଙ୍କ ପାଇଁ ୨୪ ଘଂଟିଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା ଆଦି ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ପ୍ରଥମେ ଗଣଧାରଣା ଓ ପରେ କରୋନାର ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ମାନି ରିଲେ ଅନସନ କରାଯାଇଥିଲା।
ତେବେ ୬ ଦିନ ଅନଶନ ପରେ ଆଜି ଜିଲ୍ଲାପାଳ ସରୋଜ କୁମାର ସାମଲ ଧାରଣା ସ୍ଥଳରେ ପହଂଚି ଆସନ୍ତା ଏପ୍ରିଲ ୧୫ ତାରିଖରୁ ମଙ୍ଗଳବଜାରରେ ଅର୍ବାନ ସିଏଚସି କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶୃତି ଦେବାପରେ ବିଜେପି ପକ୍ଷରୁ କରାଯାଉଥିବା ଅନଶନ ପ୍ରତ୍ୟାହୃତ ହୋଇଥିଲା। ଏହି ଅବସରରେ ଜିଲ୍ଲା ବିଜେପି ସାଧାରଣ ସଂପାଦକ ରଂଜନ ପଟେଲ, ବିଜୁ ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ପୁରୁଷୋତମ ଥିରାନି, ନେତାଜୀ ପଟ୍ଟନାୟକ, ସୁନିଲ ପଣ୍ଡା, ବଲଭିନ୍ଦର ସିଂ, ନିଳାମ୍ବର ଡନସନା, ରାଜେଶ ଦାସ, ବିକାଶ ନନକାନୀ ପ୍ରମୁଖଙ୍କ ସହ ଜିଲା ବିଜେପି କର୍ମକର୍ତାମାନେ ଉପସ୍ଥିତ ଥିଲେ।