ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପି କର୍ମୀ, ରୋଡ଼ ଶୋ’ରେ ମନ୍ତ୍ରୀ

ଦେବଗଡ଼,ଏନ୍ଏନ୍ଏସ୍: ପୌର ନିର୍ବାଚନ ପୂର୍ବରୁ ଆଜି ଦେବଗଡ଼ ଜିଲ୍ଲା ବିଜେଡିରେ ସାମିଲ ହେଲେ କଂଗ୍ରେସ ଓ ବିଜେପି ଦଳର ବହୁ ପଦାଧିକାରୀ ଓ କର୍ମୀ। ଆଜି ପୂର୍ବାହ୍ନରେ ବିଜେଡି ଦଳୀୟ କାର୍ଯ୍ୟାଳରେ ଶ୍ରମ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଗତକାଲି କଂଗ୍ରେସରୁ ନିଲମ୍ବିତ ଯୁବ କଂଗ୍ରେସ ସଭାପତି ଅମିତ ରଞ୍ଜିତଙ୍କ ସମେତ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଦେବଗଡ଼ ଜିଲ୍ଲାରେ ବିଜେଡିର ସଂଗଠନ ଦିନକୁ ଦିନ ମଜଭୁତ ହେଉଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାବାସୀ ବିଜେଡିକୁ ଅଭୁତ ପୂର୍ବ ସମର୍ଥନ କରିଥିବାରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଥିଲେ।

ବିଜେଡି ଦଳୀୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂଙ୍କ ନେତୃତ୍ୱରେ ପୌରାଧକ୍ଷା ପ୍ରାର୍ଥୀନୀ ଶାନ୍ତି ମଞ୍ଜରୀ ଦେଇଙ୍କ ସମେତ ସମସ୍ତ ୧୧ଟି ୱାର୍ଡର କାଉଁସିଲର ପ୍ରାର୍ଥୀ ପ୍ରାର୍ଥୀନୀମାନେ ସମସ୍ତ ୱାର୍ଡ ରେ ମାରାଥନ ପ୍ରଚାର କରିଥିଲେ। ପ୍ରବଳ ଖରା ସତ୍ତ୍ବେ ହଜାର ହଜାର ଦଳୀୟ କର୍ମୀ ବାଇକ ଶୋଭାଯାତ୍ରାରେ ସମସ୍ତ ୱାର୍ଡ ବୁଲି ଦଳୀୟ ପ୍ରଚାର କରିଥିଲେ। ପୌର ନିର୍ବାଚନ ପାଇଁ ଜିଲ୍ଲାରେ ରାଜନୈତିକ ପାରା ଶୀର୍ଷ ଛୁଇଁ ଥିବା ବେଳେ ମାନ୍ୟବର ମନ୍ତ୍ରୀଙ୍କ ରୋଡ଼ ଶୋ’ ଦଳୀୟ କର୍ମୀମାନଙ୍କୁ ଅଧିକ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି। ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ ଶ୍ରୀ ସିଂ ଚଳିତ ପୌର ନିର୍ବାଚନରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଭଳି ଦଳ ଫଳାଫଳ ଆଶା କରିଥିବା ପ୍ରକାଶ କରିଛନ୍ତି।