ଓଡ଼ିଆ ଦାଦନଙ୍କ କ୍ଷତରେ ଲୁଣଛିଟା ନମାରନ୍ତୁ ବିଜେଡି ସାଂସଦ: ଗୋଲକ ମହାପାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁଁ ଅନେକ ପ୍ରବାସୀ ବାହାର ରାଜ୍ୟରୁ ଓଡ଼ିଶା ଫେରି ଆସିଛନ୍ତି। ଏହି ପରିସ୍ଥିତିରେ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରବାସୀଙ୍କୁ ଚାକିରି ଦେବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି। ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସାଂସଦ ୩ଟି ଜିଲ୍ଲାର ୨୦୦ ପ୍ରବାସୀ ଶ୍ରମିକଙ୍କୁ ଏକ ଘରୋଇ ସଂସ୍ଥାରେ ରୋଜଗାର ଦେବା କଥା କହି କେବଳ ବାହା ବାହା ନେବାକୁ ବସିଛନ୍ତି। ସେଥିରେ ପୁଣି ବିଜେଡି ଆଇଟି କୋ-ଅର୍ଡିନେଟରଙ୍କ ସହିତ ଯୋଗାଯୋଗ କରିବା ପାଇଁ ସେ କହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ବିଜେଡି ସମର୍ଥିତ ଲୋକଙ୍କୁ ନିଯୁକ୍ତି ଦେବାରେ ପ୍ରାଧାନ୍ୟ ମିଳିବ। ତା’ହେଲେ ସାଂସଦ ଗରିବ ଓଡ଼ିଆମାନଙ୍କୁ କାହିଁକି ବୋକା ବନାଉଛନ୍ତି। ତାଙ୍କ ସରକାର ୨୦ ବର୍ଷ ଧରି ଚାକିରି ଓ ରୋଜଗାର ସୃଷ୍ଟି କରିପାରିଲେ ନାହିଁ। ଏବେ ମହାମାରୀ ସମୟରେ ବିଜେଡି ସାଂସଦ ଚାକିରି ଦେବା ଅଭିଯାନ କରି ମିଥ୍ୟା ପ୍ରତିଶ୍ରୁତି ଦେଇ ଦାଦନ ଖଟୁଥିବା ଓଡ଼ିଆଙ୍କ କ୍ଷତରେ ଲୁଣଛିଟା ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଅଭିଯୋଗ ଆଣିଛନ୍ତି।