କରୋନା ମୁକାବିଲା ପାଇଁ ଶାହଙ୍କ ସହଯୋଗ ନିଆଯାଉ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହାୟତା ଲୋଡ଼ିବାକୁ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଦାବି କରିଛନ୍ତି। ନୂଆଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗ ସମ୍ଭାଳି ଥିଲେ। ଯାହାଫଳରେ ସେଠାରେ ବର୍ତ୍ତମାନରେ ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀ ପରି ରାଜ୍ୟରେ କରୋନା ମୁକାବିଲା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ସହାୟତା ନେବାକୁ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଶ୍ରୀ ସିଂହ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଚଳିତମାସ ୨୭ ତାରିଖ ସୁଦ୍ଧା ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ରେ ପହଞ୍ଚିଥିବା ସରକାରୀ ଭାବରେ ସ୍ପଷ୍ଟ କରାଯାଇଛି। ଭୁବନେଶ୍ୱର ଭଳି ଜନସଂଖ୍ୟା ବିଶିଷ୍ଟ ସହରରେ ଏତେ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ। କ୍ୱାରେଣ୍ଟାଇନ ସେଣ୍ଟର ବା ହୋମ କ୍ୱାରେଣ୍ଟାଇନ ବ୍ୟକ୍ତିବିଶେଷଙ୍କୁ ଛାଡ଼ି ଲୋକାଲ କରୋନା କେସ ଦ୍ରୁତ ବେଗରେ ବଢ଼ିବା ଆହୁରି ଚିନ୍ତା ବଢ଼ାଇଛି। ହୋମ ଆଇସୋଲେସନରେ ଥିବା ବ୍ୟକ୍ତିମାନେ ବାରମ୍ବାର ଫୋନ କରି ଡାକ୍ତରୀ ସହାୟତା ମାଗିଲେ ମଧ୍ୟ ସେମାନେ ସେ ସୁବିଧାରୁ ବଞ୍ଚିତ ହେବା ନେଇ ଦୈନିକ ଅନେକ ଅଭିଯୋଗ ଆସୁଛି। ବିଶେଷକରି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷମାନଙ୍କର କଣ୍ଟାକ୍ଟ ଟ୍ରେସିଂ ବ୍ୟବସ୍ଥା ରାଜଧାନୀରେ ସଠିକ୍ ଭାବରେ ପରିଚାଳନା ହୋଇପାରୁ ନଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ଭୟ ଦେଖାଦେଲାଣି ବୋଲି ଶ୍ରୀ ସିଂହ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜଧାନୀର ସ୍ଥିତି ଖରାପ ହେଉଥିବା ସମୟରେ ରାଜ୍ୟ ପ୍ରଶାସନକୁ ଅଧିକ ସଜାଗ କରିବା ଓ କେନ୍ଦ୍ର ସରକାର ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିଶେଷ ସହଯୋଗ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ସିଂ ଅନୁରୋଧ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ ଓ ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।(ଦୀପକ)