କୋଭିଡ୍ କାର୍ଯ୍ୟରେ ନିୟୋଜିତ ଶିକ୍ଷକଙ୍କୁ ଯୋଦ୍ଧା ଘୋଷଣା କର

ରାଜ୍ୟ ସରକାରଙ୍କୁ ବିଜେପି ବିଧାୟକଙ୍କ ଚିଠି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ୍ର ଦ୍ୱିତୀୟ ଲହର ହୁ ହୁ ହୋଇ ମାଡ଼ି ଚାଲିଛି। ଇତିମଧ୍ୟରେ ସମ୍ମୁଖଯୋଦ୍ଧା ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଯେଉଁଥିରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ୍, ସାମ୍ବାଦିକ, ଆଶା, ଅଙ୍ଗନବାଡ଼ି, ସଫେଇ କର୍ମଚାରୀ ଇତ୍ୟାଦି ତାଲିକାଭୁକ୍ତ ଅଛନ୍ତି। ଏପରିକି ସ୍କୁଲ ପାଠପଢ଼ା ବନ୍ଦ ହୋଇଥିବାରୁ ରାଜ୍ୟ ସରକାର ସରକାରୀ ସ୍କୁଲର ଶିକ୍ଷକମାନଙ୍କୁ ମଧ୍ୟ କୋଭିଡ୍ ପରିଚାଳନା କାର୍ଯ୍ୟରେ ନିୟୋଜିତ କରିଛନ୍ତି। ତେବେ ଶିକ୍ଷକମାନଙ୍କୁ କିନ୍ତୁ ସମ୍ମୁଖଯୋଦ୍ଧା ବା କୋଭିଡ୍ ଯୋଦ୍ଧା ଭାବେ ସରକାର ଘୋଷଣା କରିନାହାନ୍ତି।

ଏନେଇ ରାଜ୍ୟ ବିଜେପିର ଦୁଇ ବିଧାୟକ ସରକାରଙ୍କୁ ଚିଠି ଲେଖିଛନ୍ତି। ଲୋଇସିଂହାର ବିଜେପି ବିଧାୟକ ଡ. ମୁକେଶ ମହାଲିଙ୍ଗ, ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠିଲେଖି କୋଭିଡ୍ କାର୍ଯ୍ୟରେ ନିୟୋଜିତ ଶିକ୍ଷକମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିବାକୁ ପ୍ରସ୍ତାବ ରଖିଛନ୍ତି। ଶିକ୍ଷକମାନେ ପିଲାଙ୍କୁ ପାଠ ପଢ଼ାଇବା ଭଳି କୋଭିଡ୍ ପରିଚାଳନାରେ ମଧ୍ୟ ଗୁରୁଦାୟିତ୍ୱ ତୁଲାଉଛନ୍ତି। ଏଣୁ ସରକାର ଆଉ କାଳବିଳମ୍ବ ନକରି ସେମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିବାକୁ ଡ. ମହାଲିଙ୍ଗ ଜଣାଇଛନ୍ତି। ସେହିଭଳି ପାରଳାଖେମୁଣ୍ଡିର ବିଜେପି ବିଧାୟକ କେ ନାରାୟଣ ରାଓ ମଧ୍ୟ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ନିକଟକୁ ଏକ ଚିଠି ଲେଖି ସମାନ ଦାବି ରଖିଛନ୍ତି। ସୂଚନାଯୋଗ୍ୟ, କୋଭିଡ୍ କାର୍ଯ୍ୟରେ ନିୟୋଜିତ କୌଣସି ସମ୍ମୁଖଯୋଦ୍ଧାଙ୍କ ମୃତ୍ୟୁହେଲେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ନେଇ ସରକାର ନିୟମ କରିଛନ୍ତି।