ପଶ୍ଚିମବଙ୍ଗ ହିଂସା ବିରୋଧରେ ରାଜ୍ୟର ସବୁ ମଣ୍ଡଳରେ ଧାରଣା ଦେବ ବିଜେପି

ଭୁବନେଶ୍ୱର, ଏନ୍ଏନ୍ଏସ୍: ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୁଳ କଂଗ୍ରେସର ବିଜୟ ପରେ ବିଜେପି ନେତା ଓ କର୍ମୀଙ୍କୁ ଘନ ଘନ ଆକ୍ରମଣ କରାଯାଉଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁକ ଦର୍ଶକ ସାଜିଛନ୍ତି। ପ୍ରଶାସନକୁ ହିଂସା ନିୟନ୍ତ୍ରଣ ଲାଗି କୌଣସି ନିର୍ଦ୍ଦେଶ ଦେଉନାହାନ୍ତି କି ଏଭଳି କାଣ୍ଡ ଭିଆଉଥିବା ଅପରାଧୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏହାର ପ୍ରତିବାଦରେ ଦେଶବ୍ୟାପୀ ବିଜେପି ପକ୍ଷରୁ ଧାରଣା ଦିଆଯିବା ନେଇ ସ୍ଥିର ହୋଇଛି। ଓଡ଼ିଶାରେ ମଧ୍ୟ ଆସନ୍ତାକାଲିଠୁ ଦୁଇ ଦିନ ଧରି ପ୍ରତି ମଣ୍ଡଳ ସ୍ତରରେ ଧାରଣା ଦିଯାଯିବ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗରେ ବର୍ତ୍ତମାନ ସୁଦ୍ଧା ୧୪୦ରୁ ଉର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରାଣ ଗଲାଣି ଏବଂ ରାଜ୍ୟ ପ୍ରଶାସନ ଆଖି ବନ୍ଦ କରି ବସି ରହିଛି। ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତାମାନେ ଗୁରୁତର ଆହତ ହୋଇଛନ୍ତି। ଦଳର ବହୁ ଜିଲ୍ଲା ଓ ସ୍ଥାନୀୟ କାର୍ଯ୍ୟାଳୟକୁ ପୋଡ଼ି ଦିଆଯାଇଛି। ଏପରିକି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦୋକାନ ଘର ଓ ବାସଗୃହରେ ନିଆଁ ଲଗାଯାଇଛି। ପଶ୍ଚିମବଙ୍ଗରୁ ହିଂସାର ତାଣ୍ଡବର ଯେଉଁ ବିଭତ୍ସ ଦୃଶ୍ୟମାନ ସାମ୍ନାକୁ ଆସୁଛି, ତାହା ଅତ୍ୟନ୍ତ ଚିନ୍ତାଜନକ, ଭୟାନକ ଏବଂ ଦୁର୍ଭାଗ୍ୟଜନକ ଅଟେ। ଭାରତୀୟ ଜନତା ପାର୍ଟି ଏଭଳି ହିଂସାକାଣ୍ଡକୁ ଦୃଢ଼ ନିନ୍ଦା କରୁଛି ଏବଂ ଏହା ତୁରନ୍ତ ବନ୍ଦ ହେବା ଆବଶ୍ୟକ। ପ୍ରତିବାଦରେ ଓଡ଼ିଶା ବିଜେପି ପକ୍ଷରୁ କୋଭିଡ୍ କଟକଣାକୁ ପାଳନ କରାଯାଇ ଭର୍ଚୁଆଲ ମିଟିଂ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଧାରଣା ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ଅନ୍ୟପଟେ ପଶ୍ଚିମବଙ୍ଗ ହିଂସାର ପ୍ରତିବାଦରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତୃବୃନ୍ଦ ପ୍ରତୀକାତ୍ମକ ଭାବେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ଖାରବେଳ ସ୍ୱାଇଁ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବଳଭଦ୍ର ମାଝୀ, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଡ.ଯତୀନ ମହାନ୍ତି, ବିରଂଚି ତ୍ରିପାଠୀ, ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ଜଗନ୍ନାଥ ପ୍ରଧାନ, ହରେକୃଷ୍ନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।