ବାଲି ଚୋରାଚାଲାଣକୁ ନେଇ ତହସିଲ ଅଫିସ ଘେରିବ ବିଜେପି

ପାଟଣା,ଏନ୍ଏନ୍ଏସ୍: ସାହାରପଡ଼ା ବ୍ଲକରେ ବାଲି ଚୋରିକୁ ନେଇ ଆସନ୍ତାକାଲି ସାହାରପଡ଼ା ତହସିଲ ଅଫିସ ଘେରାଉ କରିବାକୁ ସାହାରପଡ଼ା ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି। ସାହାରପଡା ବ୍ଲକକୁ ବୈତରଣୀ ନଦୀ ଏବଂ ଦେଓ ନଦୀ ଘେରି ରହିଥିବା ବେଳେ ବିନା ଲିଜ୍ ରେ ଏହି ଦୁଇନଦୀ ସହିତ ବିରଳ ନଦୀରେ ବେଆଇନ ଭାବେ ବାଲି ଘାଟ ଗଢି ଉଠିଛି। ତହସିଲ ପ୍ରଶାସନର ଜ୍ଞାତସାରରେ ସେସବୁ ବାଲିଘାଟ ଚାଲୁଥିବା ସାହାରପଡା ବ୍ଲକ୍ ବିଜେପି ଅଭିଯୋଗ କରିଛି। ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଜୁମେଇଁ, ମଉଦିପା, ଦୁଆଘାଟ, ମଙ୍ଗଳପୁର ବାଲିଘାଟରୁ ବାଲି ଚୋରା ଚାଲାଣ ହେଉଛି। ବ୍ଲକର ଗରିବ ଆଦିବାସୀ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘର ନିର୍ମାଣ ନିମନ୍ତେ ଟ୍ରାକ୍ଟର ଯୋଗେ ବାଲି ନେଉଥିବା ବେଳେ ତହସିଲ କର୍ମଚାରୀ ସେଗୁଡିକୁ ଧରି ୨୫୦୦୦/- ଟଙ୍କା ଲେଖାଏଁ ଫାଇନ କରୁଥିବା ଯୋଗୁଁ ହିତାଧିକାରୀମାନେ ଗୃହ ନିର୍ମାଣ କରିପାରୁନାହାନ୍ତି। ଏହାକୁ ବିରୋଧ କରି କାଲି ସାହାରପଡା ତହସିଲ ଅଫିସ ଘେରାଓ କରାଯିବ ବୋଲି କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ସାହାରପଡା ମଣ୍ଡଳ ସଭାପତି ହରିଶ ଚନ୍ଦ୍ର ମହାନ୍ତ ଏବଂ ଉଦୟପୁର ମଣ୍ଡଳ ସଭାପତି ସୁଦର୍ଶନ ମହାନ୍ତ ପ୍ରକାଶ କରିଛନ୍ତି।