ପ୍ରତାପଙ୍କ ସୁରକ୍ଷାରେ ବ୍ୟୋମକେଶଙ୍କ ବିବୃତି, ସଇତାନର ବେଦପାଠ ସଦୃଶ: ଇରାସିସ ଆଚାର୍ଯ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କର ଗିରଫଦାରୀ ଦାବିକରି ଶନିବାର ଲୋୟର ପିଏମଜି ଗର୍ଜିଥିଲା ରାଜ୍ୟ ବିଜେପି। ବିଧାନସଭାର ଶୂନ୍ୟକାଳରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ ବିଜେପି ବିଧାୟକମାନେ। ତେବେ ଗୃହ ମଧ୍ୟରେ ବିଜେପିକୁ କାଉଣ୍ଟର କରିବାକୁ ଯାଇ ବିଜେପି ନେତା ଶାରଦା ପ୍ରଧାନଙ୍କ ଅପରାଧିକ ପୃଷ୍ଠଭୂମି ବଖାଣିବା ସହ ତାଙ୍କ କଥା ପବିତ୍ର ଗୃହରେ ନ ଉଠୁ ବୋଲି ବିବୃତି ରଖିଥିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ। ଚାନ୍ଦବାଲି ବିଧାୟକଙ୍କ ଏହି ବିବୃତି ସଇତାନର ବେଦପାଠ ସଦୃଶ ବୋଲି ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୧୩ ନମ୍ବର ମୁଦାଲା ହେଉଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ହେଲେ ଏବେ ତାଙ୍କୁ ସୁରକ୍ଷା ଦେବା କାମରେ ଲାଗିଛନ୍ତି ତାଙ୍କର ଚେଲାଚାମୁଣ୍ଡା। ଆଇନ ମନ୍ତ୍ରୀଙ୍କ ପାଇଁ ଓକିଲାତି କରୁଥିବା ବିଧାୟକ ବ୍ୟୋମକେଶ ରାୟ ୨୦୧୯ ନିର୍ବାଚନ ଜିତିବା ପାଇଁ ଚାନ୍ଦବାଲି ଅଞ୍ଚଳରେ ବିଷାକ୍ତ ମଦ ବାଣ୍ଟିଥିଲେ। ଏହାଦ୍ୱାରା ୧୨ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସତ୍ତେ୍ୱ ପୁଲିସ ତାଙ୍କୁ ତଦନ୍ତ ପରିସରଭୁକ୍ତ କଲାନାହିଁ। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଉତୁକୁଡା ଗ୍ରାମପଞ୍ଚାୟତରେ ମହିଳାମାନଙ୍କ ଉପରେ ଆକ୍ରମଣ ହେଲା। ଏହା ପଛରେ ମଧ୍ୟ ବ୍ୟୋମକେଶଙ୍କ ସଂପୃକ୍ତି ଥିବା ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।
ଶାରଦା ପ୍ରଧାନଙ୍କୁ ବିଜେଡି ଜଣେ ଅପରାଧୀ ଓ ମାଫିଆ ବୋଲି ଆକ୍ଷେପ କରିଥିବା ବେଳେ ବିଜେପି ମଧ୍ୟ ପାଲଟା ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ମାଫିଆ ବୋଲି ଦର୍ଶାଇଛି। ବିଜେପି ଯୁବମୋର୍ଚ୍ଚା କହିଛି ଯେ ବିଜୁ ଛାତ୍ର ଜନତା ଦଳର ସଭାପତି ହେବା ଦିନଠାରୁ ବ୍ୟୋମକେଶ ମାଫିଆ କାରବାର ଚଲାଇଛନ୍ତି। ବାଲି, ପଥର, ମଦ ମାଫିଆଙ୍କ ସହ ସମ୍ପର୍କ ରଖି ସେ କୋଟି କୋଟି ଟଙ୍କା ହରିଲୁଟ୍ କରିଛନ୍ତି। ବିଗତ ଦିନରେ ବ୍ୟୋମକେଶ ବାବୁ କାହାର ଧଳା ସ୍କର୍ପିଓ ଚଲାଉଥିଲେ ଏବଂ ମୋତିଲାଲ ଗୌଡ଼ଙ୍କ ସହ ତାଙ୍କର କେଉଁ ସମ୍ପର୍କ ଥିଲା ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଆହ୍ୱାନ କରିଛନ୍ତି। ବିଧାୟକ ହିସାବରେ ସେ ନିଜ ସମ୍ପତ୍ତି ତାଲିକା ଏବଂ ରୋଜଗାରର ଉତ୍ସ ସମ୍ପର୍କରେ ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି କହିଛି ବିଜେପି।