ସହରାଞ୍ଚଳର ନିମ୍ନ ଆୟକାରୀଙ୍କ ପ୍ରତି ଆଖି ବୁଝିଦେଇଛନ୍ତି ସରକାର- ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାନଗର ନିଗମ ଅଞ୍ଚଳରେ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ କଡ଼ା ସମାଲୋଚନା କରିଛି ବିଜେପି। ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ସମେତ କଟକ ମହାନଗର ଏବଂ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଓ କଟକ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାର କେବଳ ସଟଡାଉନ ଘୋଷଣା କରି ସବୁ ଦାୟିତ୍ୱ ସରିଗଲା ବୋଲି ଭାବୁଛନ୍ତି। ଏହି ସମସ୍ତ ସହରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦା, ଉଠାଦୋକାନୀ, ବୁଲାବେପାରୀ ଆଦି ଯେଉଁ ସମସ୍ୟା ଭୋଗୁଛନ୍ତି ତାହା ବୋଧେ ରାଜ୍ୟ ସରକାରଙ୍କ ଦେଖିପାରୁନାହାନ୍ତି। କରୋନା ନାମରେ ରାଜ୍ୟ ସରକାର ଓ ମହାନଗର ନିଗମ ସେମାନଙ୍କ ପେଟକୁ ଲାତ ମାରୁଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ତୁରନ୍ତ ସହରାଞ୍ଚଳରେ ରହୁଥିବା ନିମ୍ନ ମଧ୍ୟବିତ୍ତ ଆୟ ବର୍ଗକାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ସେ ଦାବି କରିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନାରେ ଉଠା ଦୋକାନୀମାନଙ୍କ ପାଇଁ ୧୦ ହଜାର ଟଙ୍କାର ବିନା ବନ୍ଧକରେ ଋଣର ବ୍ୟବସ୍ଥା କରିଛନ୍ତି। ରାଜ୍ୟସରକାର ଏହି ଯୋଜନାର ଫେସିଲିଟେଟର ଭୂମିକାରେ ରହିବା କଥା। ହେଲେ ରାଜ୍ୟ ସରକାର ତାହା କରୁନାହାନ୍ତି। କେବଳ ଭୁବନେଶ୍ୱରରେ ୨୪୪୦ ଅସ୍ଥାୟୀ ଦୋକାନୀ ଏବଂ ୧୯୦୪୩ ଉଠା ଦୋକାନୀ (୧୭,୭୬୭ ହେଉଛନ୍ତି ଷ୍ଟେସନର ଉଠାଦୋକାନୀ, ୧୨୭୬ ଫେରିବାଲା) ଅଛନ୍ତି। ସରକାର ରାଜନୀତିର ଉପରକୁ ଉଠି କିପରି ଏମାନେ ଆତ୍ମନିର୍ଭର ଭାରତ ଯୋଜନାରେ ସାମିଲ ହୋଇ ପୁଣି ସେମାନଙ୍କ ବେପାର ଆରମ୍ଭ କରି ଗୁଜୁରାଣ ମେଣ୍ଟାଇବେ ସେ ନେଇ ବାଟ ବାହାର କରନ୍ତୁ। ସେମାନଙ୍କୁ ରାଜ୍ୟ ସରକାର ବୀମାଭୁକ୍ତ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି।