ଦେବଗଡ଼,ଏନ୍ଏନ୍ଏସ୍: ବଡ଼କୁଦର ଟୋଲ ଗେଟରେ ଦେବଗଡ଼ ଜିଲ୍ଲାର ଯାନବାହାନକୁ ଦେୟ ମୁକ୍ତ ଦାବିରେ ଜିଲ୍ଲା ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ଅନିର୍ଦ୍ଧିଷ୍ଟ କାଳ ଧାରଣା ପ୍ରତ୍ୟାହୃତ ହୋଇଛି। ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ, ଏନ୍ଏଚ୍ଏଆଇ କର୍ମକର୍ତ୍ତା ଓ ଆନ୍ଦୋଳନକାରିଙ୍କ ଆଲୋଚନା ପରେ ଟୋଲ ଗେଟ ଦେଇ ଯିବାକୁ ଥିବା ଜିଲ୍ଲାର ଯାନବାହାନର କାଗଜ ପତ୍ର କିମ୍ବା ଆଧାର କାର୍ଡ ଦେଖାଇ ଦେୟ ମୁକ୍ତ ଭାବେ ଯାଇପାରିବେ ଏବଂ ଜିଲ୍ଲାର ଯାନବାହାନ ଉପରେ ଟୋଲ ଟ୍ୟାକ୍ସ ସଂଗ୍ରହ ନକରିବାକୁ ଆନ୍ଦୋଳନକାରିଙ୍କ ଦାବୀକୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ମାନିବା ପରେ ଆନ୍ଦୋଳନ ପ୍ରତ୍ୟହୃତ ହୋଇଥିବା ଆନ୍ଦୋଳନର ନେତୃତ୍ୱ ନେଉଥିବା ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ବାରକୋଟ ବ୍ଲକ ବଡ଼କୁଦର ଠାରେ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ ଅଧୀନରେ ଥିବା ଟୋଲ ପ୍ଲାଜାରେ ଜିଲ୍ଲାର ଯାନବାହାନ ଗୁଡିକ ଉପରେ ଅତ୍ୟଧିକ ମୂଲ୍ୟର ଟୋଲ ଟାକ୍ସ ଆଦାୟ କରାଯାଉଥିବାରୁ ଶିଳ୍ପ ବିହୀନ ଦେବଗଡ଼ ଜିଲ୍ଲାବାସୀ ପ୍ରତିଦିନ ଶୋଷଣର ଶିକାର ହୋଇ ଆସୁଥିଲେ। ଜିଲ୍ଲାବାସୀଙ୍କ ଏହି ଟୋଲ ଟ୍ୟାକ୍ସ ସମସ୍ୟାର ସମାଧାନ ପାଇଁ ଜିଲ୍ଲାରେ ଶାସନ ଗାଦିରେ ବସିଥିବା ବିଜେପି ସାଂସଦ ଓ ବିଧାୟକଙ୍କ ନିକଟରେ ବହୁବାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଟୋଲ ଗେଟ ନିକଟରେ ଆଜିଠାରୁ ଜିଲ୍ଲା ବିଜେଡି ସମସ୍ୟାର ସମାଧାନ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଧାରଣା ଆରମ୍ଭ କରିଥିଲା।