ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ସଦର ଉପ ନିର୍ବାଚନ ପାଇଁ ସମସ୍ତଙ୍କର ଉତକଣ୍ଠା ରହିଥିଲା। ହେଲେ ସବୁ କଳ୍ପନାର ଅନ୍ତ ଘଟାଇ ଏହାର ଫଳାଫଳ ଶାସକ ଦଳକୁ ହିଁ ଯାଇଛି। ଦଳୀୟ ପ୍ରାର୍ଥି ସ୍ୱରୂପ ଦାସ ୧୩,୫୧୬ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରେ ବିଜେଡି ପରାସ୍ତ ହୋଇଥିବା ବେଳେ ଚଳିତ ଉପ ନିର୍ବାଚନରେ ବିଜେଡି ଏହାକୁ ନିଜ ସପକ୍ଷରେ ଆଣିଛି। ଫଳରେ ଦଳୀୟ ନେତା ଓ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପଟେ ବିଜେପି ଶିବିରରେ ଶୁନଶାନ ଦେଖିବାକୁ ମିଳିଥିବା ବେଳେ କଂଗ୍ରେସ ଅମାନତ ହରାଇଛି। ସୂଚନା ଅନୁସାରେ,ସଦର ଉପ ନିର୍ବାଚନ ପାଇଁ ଗତ ୩ତାରିଖରେ ହୋଇଥିବା ମତଦାନ ପାଇଁ ଆଜି ଗଣତି ହୋଇଛି। ସକାଳ ୮ଟାରୁ ଏହି ଗଣତି ଆରମ୍ଭ ହୋଇଥିଲା।
ମୋଟ ୧୪ଟି ଟେବୁଲରେ ୨୫ରାଉଣ୍ଡ ଗଣତି ହୋଇଥିଲା। ନିର୍ବାଚନ କମିଶନ ଘୋଷଣା କରିନଥିଲେ ବି ବିଜେଡି ପ୍ରାର୍ଥି ସ୍ୱରୂପ ଦାସଙ୍କୁ ମୋଟ ୮୨ହଜାର ୮୧୦ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୬୯ହଜାର୪୧୫ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସକୁ ୪ହଜାର୯୦୧ଖଣ୍ଡ ଭୋଟ ମିଳିଛି। ତେବେ ୪ଟିରୁ ୫ଟି ରାଉଣ୍ଡକୁ ଛାଡିଦେଲେ ପ୍ରାୟ ସମସ୍ତ ରାଉଣ୍ଡ ଗଣତିରେ ବିଜେଡି ପ୍ରାର୍ଥି ସ୍ୱରୂପ ଆଗୁଆ ରହିଥିଲେ। ସେହିପରି ସ୍ୱାଧୀନ ପ୍ରାର୍ଥି ବେଣୁଧର ବାରିକ ୧୨୪୫ ଖଣ୍ଡ ଭୋଟ ପାଇଥିବା ବେଳେ ଭାଗ୍ୟଉଦିତ ଦାସମହାପାତ୍ର ୩୦୭,ନୂମାନ ଅଲ୍ଲୀ ୨୪୫ ଖଣ୍ଡ ଭୋଟ ପାଇଥିବା ବେଳେ ନୋଟାକୁ ୬୯୧ଖଣ୍ଡ ଭୋଟ ଯାଇଛି। ତେବେ ବିଶେଷ କରି ଆଜି ସକାଳେ ଭୋଟ ଗଣତି ଆରମ୍ଭ ହେବା ଠାରୁ ବିଜେଡି ପ୍ରାର୍ଥି ସ୍ୱରୂପ ଆଗୁଆ ହୋଇ ଚାଲିଥିଲେ। ତେବେ ପ୍ରଥମ ରାଉଣ୍ଡରେ ବିଜେଡି ୬୧୫ଖଣ୍ଡ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୪୩୯,ତୃତୀୟ ରାଉଣ୍ଡରେ ୪୩୨,ଚତୁର୍ଥ ରାଉଣ୍ଡରେ ୧୧୮୫,ପଂଚମ ରାଉଣ୍ଡରେ ୪୯୦ରେ ଆଗୁଆ ରହିଥିବା ବେଳେ ଷଷ୍ଠ ରାଉଣ୍ଡରେ ବିଜେପି ୬୯୪ ଖଣ୍ଡ ଭୋଟରରେ ଆଗୁଆ ରହିଥିବା ବେଳେ ସପ୍ତମ ରାଉଣ୍ଡରେ ୪୮ଖଣ୍ଡ ଭୋଟରରେ ଆଗୁଆ ରହିଥିଲା।
ସେହିପରି ଅଷ୍ଟମ ରାଉଣ୍ଡରେ ବିଜେଡି ୧୩୫୧ଖର୍ଡ ଭୋଟରରେ ଆଗୁଆ ରହିଥିବା ବେଳେ ନବମ ରାଉଣ୍ଡରେ ବିଜେଡି ୭୮୮,ଦଶମ ରାଉଣ୍ଡରେ ବିଜେଡି ୭୪୪,ଏଗାର ରାଉଣ୍ଡରେ ବିଜେଡି ୧୭୧,ବାର ରାଉଣ୍ଡରେ ବିଜେଡି ୮୩୫,ତେରତମ ରାଉଣ୍ଡରେ ବିଜେପି ୩୬୦ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ ଚଉଦତମ ରାଉଣ୍ଡରେ ବିଜେଡି ୫୨୮,ପନ୍ଦରତମ ରାଉଣ୍ଡରେ ବିଜେଡି ୨୨୫,ଷୋହଳତମ ରାଉଣ୍ଡରେ ବିଜେପି ୧୪୩ଖଣ୍ଡ ଭୋଟରେ ଆୁଆ ରହିଥିଲା। ସେହିପରି ୧୭ତମ ରାଉଣ୍ଡରେ ବିଜେଡି ୯୭୫ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ ୧୮ତମ ରାଉଣ୍ଡରେ ବିଜେଡି ୩୪୦,୧୯ରାଉଣ୍ଡରେ ବିଜେପି ୫୯ରେ ଆଗୁଆ ରହିଥିବା ବେଳେ ୨୦ରାଉଣ୍ଡରେ ବିଜେପି ୫୧୪ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ ୨୧ରାଉଣ୍ଡରେ ବିଜେପି ୭ଖଣ୍ଡ ଭୋଟରେ ଆଗୁଆ ରହିଥିଲା।
୨୨ରାଉଣ୍ଡରେ ବିଜେଡି ୧୮୧୮ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ ୨୩ରାଉଣ୍ଡରେ ବିଜେଡି ୨୯୨୭,୨୪ରାଉଣ୍ଡରେ ବିଜେଡି ୩୮୧ ଏବଂ ୨୫ନମ୍ବର ରାଉଣ୍ଡରେ ବିଜେଡି ୧୪୨୬ଖଣ୍ଡରେ ଆଗୁଆ ରହିଥିଲା। ଏଠାରେ ସୂଚନା ଯୋଗ୍ୟ ଯେ,ଗତ ସାଧାରଣ ନିର୍ବାଚନରେ ବିଜେପିରୁ ସ୍ୱର୍ଗତ ବିଧାୟକ ମଦନମୋହନ ଦତ୧୩ହଜାର ୪୦୬ଖଣ୍ଡ ଭୋଟରରେ ବିଜେଡି ପ୍ରାର୍ଥି ଜୀବନପ୍ରଦୀପ ଦାଶଙ୍କୁ ହରାଇଥିଲେ। ସ୍ୱର୍ଗତ ଦତ ଗତ ନିର୍ବାଚନରେ ୭୪ହଜାର୮୧୫ଖଣ୍ଡ ଭୋଟ ପାଇଥିବା ବେଳେ ଜୀବନପ୍ରଦୀପ ଦାସ ୬୧ହଜାର୪୦୯ଖଣ୍ଡ ଭୋଟ ପାଇଥିଲେ। ଗତ ସାଧାରଣ ନିର୍ବାଚନରେ ସ୍ୱର୍ଗତ ଦତ ଯେତିକି ଭୋଟ ବ୍ୟବଧାନରେ ଜିତିଥିଲେ ଉପ ନିର୍ବାବଚନରେ ସ୍ୱରୂପ ସେହି ରେକର୍ଡକୁ କାଟିଦେଇଛନ୍ତି।