ଗଞ୍ଜାମରୁ କରୋନା ହଟୁ ବୋଲି ଚାହୁଁନାହିଁ ବିଜେପି : ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସମ୍ବଲପୁର ହେଉ କିମ୍ବା ମୟୂରଭଞ୍ଜ ଅଥବା ଅନ୍ୟ କୌଣସି ଅଞ୍ଚଳରେ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଲେ ସରକାର ଅନ୍ୟ ସ୍ଥାନରୁ ସେଠାକୁ ଡାକ୍ତର ଏବଂ କର୍ମଚାରୀ ପଠାଇ ସ୍ଥିତି ମୁକାବିଲା କରିଥାନ୍ତି। ଅନୁରୂପ ଭାବେ ଗଞ୍ଜାମ ଜିଲ୍ଲାର ସ୍ଥିତି ସୁଦୃଢ଼ ପାଇଁ ସରକାର ସେଠାକୁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ଭିତ୍ତିଭୂମି ପଠାଉଥିବାବେଳେ ବିଜେପି କାହିଁକି ବିରୋଧ କରୁଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି। ସେ କହିଛନ୍ତି ଯେ, ଯଦି ତୁମେ ଆଖି ବୁଜି ଦେବ ତେବେ ସମଗ୍ର ବିଶ୍ୱ ଅନ୍ଧାର ଦେଖାଯିବ। ଦୀର୍ଘ ଦିନରୁ ଗଞ୍ଜାମରେ କାର୍ଯ୍ୟ କରୁଥିବା ପରୀକ୍ଷା କେନ୍ଦ୍ର ଅନ୍ୟ ବହୁ ଜିଲ୍ଲାର ଦାୟିତ୍ୱ ନେଇଥିବାବେଳେ ତାହା କିନ୍ତୁ ବିଜେପିକୁ ଦେଖାଯାଉ ନାହିଁ। ବିଜେପି ନେତାମାନେ ଗୋଳିଆ ପାଣିରୁ ମାଛ ଧରିବା ରାଜନୀତି କରିବା ବଦଳରେ ଦାୟିତ୍ୱ ସମ୍ପନ୍ନ ଓ ପରିପକ୍ୱ ରାଜନୀତିର ପରିଚୟ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ ସେମାନଙ୍କ ଦଳର ନେତାଙ୍କୁ କହିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।