ସରକାରଙ୍କ ସହାୟତା ନେଇ ବିଜେପି ଅବଗତ ନୁହେଁ: ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସରକାର ଗତ ଏପ୍ରିଲ୍ ମାସଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଡଧାରୀମାନଙ୍କୁ ଅଗ୍ରୀମ ଭାବେ ମାସକୁ ୫କିଲୋ ଚାଉଳ ଓ ୧ କିଲୋ ଡାଲି ଯୋଗାଇ ଦେଉଛନ୍ତି । ଏହାସହ ଆଗାମୀ ୫ମାସ ପାଇଁ ମାଗଣାରେ ଅନୁରୂପ ପରିମାଣର ଚାଉଳ ଓ ଡାଲି ଯୋଗାଇ ଦେବେ। ବିଜେପି ନେତାମାନେ ଏହା ଜାଣିନାହାନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେପି ନେତାମାନେ ପ୍ରକୃତ କଥା ନଜାଣି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। କେବଳ ମାଗଣା ଚାଉଳ କିମ୍ବା ଡାଲି ନୁହେଁ ଲକଡାଉନ ସମୟରେ ରାଜ୍ୟ ସରକାର ୪୫ ହଜାର ୬୦୦ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ୩ ହଜାର ଟଙ୍କା କରି ମୋଟ୍‍ ୧୩ କୋଟି ୬୮ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ସେହିଭଳି ଲକଡାଉନ୍‍ ସମୟରେ ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା କରି ସହାୟତା ଯୋଗାଇ ଦିଆଯାଇଛି। କରୋନା ମୁକାବିଲା ସମୟରେ ଏହାକୁ ନେଇ ରାଜନୀତି କରିବା ବଦଳରେ ବିଜେପି ନେତାମାନେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇବା ଆବଶ୍ୟକ।