ପ୍ରସଙ୍ଗ ନଥିବାରୁ ବିଜେପି ହୀନ ରାଜନୀତି କରୁଛି : ବିଜେଡି

ନିଜ ଦଳ ଶାସନ କରୁଥିବା ରାଜ୍ୟର ସ୍ଥିତି ଦେଖିବାକୁ ପରାମର୍ଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ବିଜେପି ହାତରେ ଏବେ କୌଣସି ପ୍ରସଙ୍ଗ ନଥିବାରୁ ଯାଜପୁର ଘଟଣାକୁ ବାହାନା କରି ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଜରିଆରେ ହୀନ ରାଜନୀତି କରୁଛି। ରାଜନୀତିରେ ଅସ୍ଥିତ୍ୱ ହରାଇଥିବା ଦଳର ହାରୁ ନେତାମାନଙ୍କ ସ୍ଥିତି ଜାହିର ପାଇଁ ଏଭଳି ସାମ୍ବାଦିକ ସମ୍ମିଳନୀ ଏବେ ପ୍ଲାଟଫର୍ମ ପାଲିଟିଛି ବୋଲି ବିଜୁ ଜନତାଦଳର ମୁଖପାତ୍ର ଲେନିନ୍‍ ମହାନ୍ତି ଅଭିଯୋଗ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ କେବଳ ସାମ୍ବାଦିକ ସମ୍ମିଳନୀ କରିବା ଛଡା ଦଳ ହାତରେ କୌଣସି ପ୍ରମାଣ ନାହିଁ। ଯଦି ଏହି ଘଟଣାରେ ବିଜେପି ହାତରେ କିଛି ତଥ୍ୟ ପ୍ରମାଣ ରହିଛି ତେବେ ତାହାକୁ ପୁଲିସ୍‍ କିମ୍ବା ଅଦାଲତରେ ଦେବା ଆବଶ୍ୟକ। କିନ୍ତୁ ଦଳୀୟ ନେତାମାନେ ଏହା ନକରି କେବଳ ରାଜନୀତି କରିବାଲାଗି ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଡାକି ବୟାନବାଜି କରୁଛନ୍ତି।

ମିଛ କହିବାର ଗୋଟିଏ ସୀମା ଅଛି, ହେଲେ ରାଜ୍ୟ ବିଜେପି ନେତାମାନେ ସେହି ସୀମା ଟପିଯାଇଛନ୍ତି। ଜଣେ ମହିଳା କର୍ମଚାରୀଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ଘଟଣାରେ ମନଗଢା ଖବର ସୃଷ୍ଟି କରୁଛନ୍ତି ଯାହାକି ପୁଲିସ୍‍ ତଦନ୍ତରେ ବାଧା ଉପୁଯାଉଛି। ଏହି ଘଟଣାରେ ପୁଲିସ୍‍ ତାହାର ତଦନ୍ତ ଜାରି ରଖିଥିବାବେଳେ ଜଣଙ୍କୁ ଗିରଫ କରିଛି। ହେଲେ ରାଜନୀତି ପାଇଁ ବିଜେପି ଯେଭଳି ଆଇନ୍‍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଅତୀତରେ ମଧ୍ୟ କେତେକ ସ୍ପର୍ଶକାତର ଘଟଣାରେ ବିଜେପି ଏଭଳି ଆଚରଣ କରିଛି। ବିଜେଡିର ଶତ ଅନୁରୋଧ ସତ୍ୱେ ଦଳୀୟ ନେତାମାନେ ଏଭଳି କାର୍ଯ୍ୟରୁ ନିବୃତ୍ତ ହୋଇନଥିବାବେଳେ ଓଡିଶାବାସୀ ଏହାର ଜବାବ ଦେବେ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡିଶାରେ ଆଇନ୍‍ଶୃଙ୍ଖଳା ପରିସ୍ଥିତି ଦେଶର ବିଜେପି ଶାସିତ ରାଜ୍ୟଗୁଡିକ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ରହିଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ସଦ୍ୟତମ ରିପୋର୍ଟ ଅନୁଯାୟୀ ଅପରାଧ ପଞ୍ଜିକରଣ କ୍ଷେତ୍ରରେ ଓଡିଶା ୧୫ତମ ସ୍ଥାନରେ ଥିବାବେଳେ ୧୦ଟି ବିଜେପି ଶାସିତ ରାଜ୍ୟ ଏହା ପଛରେ ଅଛନ୍ତି। ବିଜେପି ଶାସିତ ରାଜ୍ୟ ଗୁଡିକରେ ଆଇନ୍‍ ଶୃଙ୍ଖଳା ନିୟନ୍ତ୍ରଣର ସ୍ଥିତି କଣ ଏଥିରୁ ତାହା ଜଳ ଜଳ ହୋଇ ଦିଶୁଛି। ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସା ସର୍ବୋଚ୍ଚ ସ୍ତରରେ ରହିଛି। ଏ କ୍ଷେତ୍ରରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ଥିବାବେଳେ ଏହା ପଛକୁ ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଆସାମ ରହିଛନ୍ତି।

ଓଡିଶାର ଆଇନ୍‍ ଶୃଙ୍ଖଳା ପରିସ୍ଥିତିକୁ ଆଙ୍ଗୁଠି ଦେଖାଇବା ପୂର୍ବରୁ ବିଜେପି ନେତାମାନେ ନିଜ ଦଳର ଶାସନ ଚାଲିଥିବା ରାଜ୍ୟଗୁଡିକୁ ପ୍ରଥମେ ଦେଖିବା ଦରକାର। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ କଠୋର ନୀତି ଅବଲମ୍ବନ ସହିତ ଯେକୌଣସି ମାମଲା ଯେଭଳି ସହଜରେ ଥାନାରେ ରୁଜୁ ହୋଇପାରିବ ସେଥିପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ବିଜେପି ଶାସିତ ରାଜ୍ୟଗୁଡିକରେ ପରିଲକ୍ଷିତ ହୁଏନାହିଁ। ଏଭଳି ସ୍ଥିତିରେ ବିଜେପି ନେତାମାନେ ଓଡିଶାକୁ ଦୋଷ ଦେବା ପୂର୍ବରୁ ଥରେ ନିଜ ଦଳର ସରକାର ଶାସନ କରୁଥିବା ରାଜ୍ୟ ଗୁଡିକରେ କିଭଳି ଅପରାଧ ଓ ମହିଳା ହିଂସାର ସ୍ଥିତି ରହିଛି ତାହା ପରଖିନେବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।