ମିଛ କହିବାର ଫଳ ଭୋଗୁଛି ବିଜେପି : ବିଜେଡି

ଭୁବନେଶ୍ୱର,ଏନଏନ୍ଏସ୍: ଓଡିଶାବାସୀଙ୍କୁ ମିଛ କହିବାର ଫଳ ଏବେ ବିଜେପି ଭୋଗୁଛି। ସଦ୍ୟ ସମାପ୍ତ ଉପନିର୍ବାଚନରେ ଏହାର ଉତ୍ତର ଲୋକେ ଦେଇଛନ୍ତି। ବାରମ୍ବାର ଏଭଳି ଘଟି ଚାଲିଥିବାବେଳେ ବିଜେପି ଯଦି ତାହାର ସ୍ୱଭାବରେ ପରିବର୍ତ୍ତନ ନଆଣେ ତେବେ ଆଗାମୀ ଦିନରେ ସମଦଶା ଭୋଗିବ ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି। ଶ୍ରୀମତୀ ଦେଓ କହିଛନ୍ତି ଯେ, ରାଜ୍ୟ ବିଜେପି ଏବେ ମିଛ କହିବାର ସୀମା ଟପିଗଲାଣି। ହୀନ ରାଜନୀତି ପାଇଁ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଗୋଟିଏ ମିଛକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାରମ୍ବାର ଦୋହରାଇବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯେଉଁ ତାଲିକା ବିଜେପି ଦେଖାଇ ବିଜେଡିକୁ ବଦନାମ କରିବାକୁ ଚାହୁଁଛି ସେଥିରେ କୌଣସି ସତ୍ୟତା ନାହିଁ। ହିତାଧିକାରୀ ଚୟନ ସମୟରେ ଦଳ ଅପେକ୍ଷା ଆବଶ୍ୟକତାକୁ ପ୍ରାଧାନ୍ୟ ଦିଆଯାଇଥାଏ। କିନ୍ତୁ ମିଛର ଆଶ୍ରୟ ନେଇ ବିଜେପି ଯେଭଳି ଘର ପାଇଥିବା ସମସ୍ତ ବ୍ୟକ୍ତି ବିଜେଡିର ବୋଲି ଦର୍ଶାଉଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ଯଦି ଆବାସ ପାଇଥିବା ସବୁ ଲୋକ ବିଜେଡି ଦଳର ତେବେ ବିଜେପି ସେଠାରୁ କିଭଳି ଭୋଟ ପାଉଛି ବୋଲି ଶ୍ରୀମତୀ ଦେଓ ପ୍ରଶ୍ନ କରିଛନ୍ତି।

ତେଣୁ ଘର ପାଇଥିବା ତାଲିକାକୁ ଅତିରଞ୍ଜିତ କରି ବିଜେପି ଯେଭଳି ପ୍ରଦର୍ଶନ କରୁଛି ତାହା ରାଜ୍ୟର ଗରିବ ଲୋକଙ୍କ ପ୍ରତି ଉପହାସ ଛଡା ଆଉ କିଛି ନୁହେଁ। ଏବେ ଘର ବଣ୍ଟାକୁ ଆଳ କରି ରାଜ୍ୟ ବିଜେପିର କିଛି ହାରୁ ନେତା ନିଜର ହଜିଯାଉଥିବା ସ୍ଥିତିକୁ ଜାହିର ପାଇଁ ସାମ୍ବାଦିକ ସମ୍ମିଳନୀ କରିବାରେ ଲାଗିଛନ୍ତି। ମନଗଢ଼ା କାହାଣୀ ପ୍ରସ୍ତୁତ କରି ବିଜେପି ଯେଭଳି ତାହାର ହତାଶା ଭାବକୁ ପ୍ରଦର୍ଶନ କରୁଥିବାବେଳେ ସେଥିରୁ ନିବୃତ୍ତ ରହିବା ଉଚିତ୍‍ ବୋଲି ଶ୍ରୀମତୀ ଦେଓ କହିଛନ୍ତି।