କୋଭିଡ ନିୟମର ଉଲ୍ଲଂଘନ କରିଥିବା ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପି ନେତା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ ଗାଇଡଲାଇନର ଉଲ୍ଲଂଘନ କରିଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଶ୍ରୀମତୀ ଷଡ଼ଙ୍ଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ବିଜେଡି ନେତା ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଏକ ଭିଡିଓକୁ ଦର୍ଶାଇଛନ୍ତି। ଯେଉଁଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅକ୍ଟୋବର ୮ ତାରିଖରେ ତାଙ୍କର ଜନ୍ମ ଦିନ ପାର୍ଟି କରୁଛନ୍ତି। ସେଥିରେ ଶ୍ରୀମତୀ ଷଡ଼ଙ୍ଗୀ ପାଖାପାଖି ୧୦୦ ଜଣ ମହିଳାଙ୍କ ସହିତ ଜନ୍ମଦିନ ପାଳନ କରୁଥିବାବେଳେ କୋଭିଡ କଟକଣାର ଉଲ୍ଲଂଘନ କରିଛନ୍ତି। ଏହି ପାର୍ଟିରେ କେହି ମାସ୍କ ପରିଧାନ କରିନଥିବା ବେଳେ ସାମାଜିକ ଦୂରତା ଦେଖିବାକୁ ମିଳିନଥିବା ଚିଠିରେ ଦର୍ଶାଇଛନ୍ତି। ଏହାକୁ ମିଶାଇ ଶ୍ରୀ ଷଡ଼ଙ୍ଗୀ ୩ ଥର କୋଭିଡ ନିୟମର ଉଲ୍ଲଂଘନ କରିଛନ୍ତି।

ସାଂସଦଙ୍କ ଏଭଳି ଆଚରଣକୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନଜରକୁ ଆଣିବା ସହ ଭୁବନେଶ୍ୱର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ନ କରିବାକୁ ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି।