ହିଂସାରୁ ନଜର ହଟାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି : ବିଜେଡ଼ି

ଭୁବନେଶ୍ୱର,ଏନ୍ଏନ୍ଏସ୍ : କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ନବରଙ୍ଗପୁର ବନ୍ଦ ସମୟରେ ଯେଭଳି ହିଂସାର ଆଶ୍ରୟ ନେଲେ ସେଥିରୁ ଗଣମାଧ୍ୟମର ନଜର ହଟାଇବା ଲାଗି କଂଗ୍ରେସ ପ୍ରୟାସ କରୁଛି । କଂଗ୍ରେସ ଦଳ ଗାନ୍ଧୀ ନୀତିରେ ବିଶ୍ୱାସ କରୁଥିବା କହୁଥିବା ବେଳେ ବନ୍ଦ ସମୟରେ କିଭଳି ଦଳୀୟ ନେତାଙ୍କ ନିର୍ଦ୍ଦେଶରେ ହାତରେ ପେଟ୍ରୋଲ ଡିଜେଲ ଧରି ବୁଲୁଛି ତାହା ଅନୁଶୀଳନ କରିବା ଆବଶ୍ୟକ ବୋଲି ବିଜେଡ଼ି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ।

କଂଗ୍ରେସ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ, ବିଜେଡ଼ି ସରକାରର ସଫଳତାକୁ କଂଗ୍ରେସ ନେତାମାନେ ହଜମ କରିପାରୁନଥିବା ଅନୁଭୂତ ହେଉଛି । ତେବେ କଂଗ୍ରେସ ନେତାମାନେ ୟୁପିଏ ସରକାରର ମନ୍ତ୍ରୀମାନଙ୍କୁ ଏ ସଂକ୍ରାନ୍ତରେ ପଚାରିବା ଆବଶ୍ୟକ । ବିଜେଡ଼ି ସରକାରର ର୍ୟାଙ୍କିଂ ଅପେକ୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ୟ୍ୟ ଉପରେ ଓଡ଼ିଶାବାସୀ ବିଶ୍ୱାସ କରନ୍ତି । ସେହି ଅନୁଯାୟୀ ଲୋକେ ନିର୍ବାଚନରେ କଂଗ୍ରେସକୁ ତାହାର ସ୍ଥାନରେ ଥୋଇ ଦେଇଛନ୍ତି ଯାହା ଫଳରେ ଏହି ଜାତୀୟ ଦଳ ଏବେ ହତାଶ ହୋଇ ଅପ୍ରସଙ୍ଗ ଗୁଡ଼ିକୁ ଜାବୁଡ଼ି ଧରିବାରେ ଲାଗିଥିବା ଡକ୍ଟର ପାତ୍ର କହିଛନ୍ତି ।