ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧିକୁ ବିରୋଧ କରି ଝାରସୁଗୁଡ଼ା ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିପାଇଁ ବିଜୁ ମହିଳା ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦେଶରେ ଏବେ ପେଟ୍ରାଲ ଡିଜେଲ ଦର ୧୦୦ ଟଙ୍କା ପାରି ହୋଇଥିବାବେଳେ ରନ୍ଧନ ଗ୍ୟାସ ଦର ହଜାର ଟଙ୍କାରେ ପହଂଚିଲାଣି। ସେହିପରି ଚାଉଳ, ଚିନି, ଖାଇବା ତେଲ, ପନିପରିବା, ଲୁଣଠୁ ନେଇ ଦିଆସିଲି ପର୍ଯ୍ୟନ୍ତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ଏହି ଦରଦାମକୁ ହ୍ରାସ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଫଳରେ ଦିନକୁଦିନ ସମସ୍ତ ଦ୍ରବ୍ୟର ଦରଦାମ ବଢୁଛି। ଦରଦାମ ବୃଦ୍ଧି ଯୋଗୁ ଅନେକ ଗରିବ ଲୋକେ ନିଜ ପରିବାରକୁ ଦି’ ଓଳି ଖାଇବା ଯୋଗାଇ ପାରୁନାହାନ୍ତି। ତେଣୁ କେନ୍ଦ୍ର ସରକାର ଦେଶର ସାଧାରଣ ଜନତା ଭୋଗୁଥିବା କଷ୍ଟକୁ ଦୂର କରିବା ପାଇଁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଶୀଘ୍ର ହ୍ରାସ କରନ୍ତୁ। ନଚେତ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ବିଜୁ ମହିଳା ଜନତା ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟକାନ୍ତି ମହାପାତ୍ର, ରଜନୀ ପାଣ୍ଡେ, ରୋଜାଲିନ ପଟେଲ, ଜୟନ୍ତି ବାହୁକ, ସରିତା ଅଗ୍ରୱାଲ, ରୁବିନା ଖାନ ଓ ଦୀପା ନାୟକ ପ୍ରମୁଖଙ୍କ ସହ ବିଜୁ ମହିଳା ଜନତା ଦଳ ଓ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।