‘ମୋ ସରକାର’ କାର୍ଯ୍ୟକ୍ରମ ପ୍ରତି ବିଜେପି ବିଚଳିତ: ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନର ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ ବିଜେପି ବିଚଳିତ ହୋଇପଡ଼ିଛି। ଭାରତୀୟ ଜନତା ପାର୍ଟି ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳତାକୁ ସହି ନପାରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ ଅପଚେଷ୍ଟା କରୁଛନ୍ତି। ‘ମୋ ସରକାର’ ର ଇସ୍ତାହାର ଯଦି ଥରେ ପଢ଼ନ୍ତେ ତେବେ ଏପରି ଭାବେ ବିବୃତି ଦେବାରୁ କ୍ଷାନ୍ତ ରୁହନ୍ତୁ ବୋଲି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି।
ସେ କହିଛନ୍ତି, ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଦ୍ୱାରା ମେଡ଼ିକାଲ ଷ୍ଟାଫ୍ଙ୍କର ବ୍ୟବହାର, କୌଣସି ପ୍ରକାର ଲାଞ୍ଚ ଦାବି ଅଥବା ଘରୋଇ କ୍ଲିନିକ୍କୁ ନ ପଠାଇ ଦେୟମୁକ୍ତ ଚିକିତ୍ସା ସେବା ପ୍ରଦାନ, ମାଗଣାରେ ଔଷଧ ପ୍ରଦାନର ବ୍ୟବସ୍ଥା, ଦେୟମୁକ୍ତ ନିଦାନ, ସରକାରୀ ଚିକିତ୍ସାଳୟରେ ସୁଷମ ଖାଦ୍ୟ ଯୋଗାଣ, ସର୍ବୋପରି ସ୍ୱଚ୍ଛତା ବଜାୟ ରଖିବା ଇତ୍ୟାଦି ଲକ୍ଷ୍ୟ ସାଧିତ ହେଉଛି।

ଏଣୁ ଉପରୋକ୍ତ ବିଷୟ ଉପରେ ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରାଯିବା ନିମନ୍ତେ କ୍ଷେତ୍ର ପରିଦର୍ଶନ। ଏପରି ପରିଦର୍ଶନ ସମୟରେ ସମସ୍ତ ରୋଗୀମାନଙ୍କ ଠାରୁ ସକାରାତ୍ମକ ମତାମତ ଗ୍ରହଣ କରିବା ପ୍ରାୟତଃ ସମ୍ଭବ ନୁହେଁ। ଯଦିଓ ବିରୋଧୀ ଭିତ୍ତିଭୂମି ଏବଂ ଡାକ୍ତର ପଦବୀ ସମ୍ପର୍କରେ ଅଭିଯୋଗ ଆଣୁଛନ୍ତି, ସେମାନେ ଜାଣିବା ଉଚିତ୍ ଯେ, ‘ମୋ ସରକାର’ କାର୍ଯ୍ୟକ୍ରମ ହେଉଛି କାର୍ଯ୍ୟରତ ଡାକ୍ତର ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବ୍ୟବହାର ସଂକ୍ରାନ୍ତରେ ମତାମତ ଗ୍ରହଣ କରିବା। ଏଥିନିମନ୍ତେ ଭିତ୍ତିଭୂମି କିମ୍ବା କର୍ମଚାରୀଙ୍କ ସହ କିଛି ସମ୍ପର୍କ ନଥାଇ ଏପରି ପରିଦର୍ଶନ କରାଯାଇପାରିବ।

ସରକାର ସେମାନଙ୍କୁ ସମ୍ମାନର ସହ ଲୋକମାନଙ୍କର ଚିକିତ୍ସା କରିବା ପାଇଁ ପ୍ରବର୍ତ୍ତାଉଛୁ। ଏହା ସରକାରଙ୍କୁ ସଠିକ୍ ପଦକ୍ଷେପ ନେବାରେ ସହାୟକ ହେଉଛି। ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ହସ୍ତକ୍ଷେପ ନ କରିବା ନିମନ୍ତେ ଭାରତୀୟ ଜନତା ପାର୍ଟିକୁ ପରାମର୍ଶ ଦିଆଯାଉଛି। ମୋ ସରକାର ସମ୍ପର୍କରେ ବିଜେପି ନିକଟରେ କୌଣସି ଉତ୍ତର ନାହିଁ। ନବୀନ ପଟ୍ଟନାୟକ ସରକାର ନିଜ ପ୍ରତିଶ୍ରୁତି ମୁତାବକ ଯେପରି ଜନହିତକର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ତାହାର କୌଣସି ବିକଳ୍ପ ନାହିଁ। ବିଜେପି ଏପରି କାର୍ଯ୍ୟକ୍ରମକୁ ସମର୍ଥନ କରୁନାହିଁ କାହିଁକି ? ଏପରି କାର୍ଯ୍ୟକ୍ରମକୁ ବିଜେପି ସକାରାତ୍ମକ ଦୃଷ୍ଟିରେ ଗ୍ରହଣ କରିବା ଉଚିତ୍ ବୋଲି ଶ୍ରୀ ମହାନ୍ତି କହିଛନ୍ତି।