ସମ୍ବେଦନଶୀଳ ଘଟଣାରେ ବିଜେପି ରାଜନୀତି ବନ୍ଦକରୁ: ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନ କରିବାକୁ ବିଭିନ୍ନ ରାଜନୈତିକ ଦଳ ବିଶେଷକରି ବିଜେପିକୁ ବାରମ୍ବାର ଅନୁରୋଧ କରିବା ସତ୍ତେ୍ୱ ଦଳ ଏଭଳି ହୀନ ରାଜନୀତିରୁ ବିରତ ହେଉନାହିଁ। ଏଭଳି ଘଟଣାକୁ ନେଇ ରାଜନୀତି କରାଗଲେ ପୀଡ଼ିତା ଓ ତାଙ୍କ ପରିବାର ଗଭୀର ମାନସିକ ନିର୍ଯାତନାର ଶିକାର ହେବେ ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି, ଶ୍ରୀମୟୀ ମିଶ୍ର ଏବଂ ସୁଲତା ଦେଓ।

ବିଜେଡିର ମୁଖପାତ୍ରମାନେ କହିଛନ୍ତି ଯେ, ଏଭଳି ଜଘନ୍ୟ ଅପରାଧରେ ଲିପ୍ତ ଅପରାଧିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କିନ୍ତୁ ବାରମ୍ବାର ଅନୁରୋଧ ସତ୍ତେ୍ୱ ବିଜେପି ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଛି। ଏହା ମାମଲାକୁ ବାଟବଣା କରିବା ସହିତ ଅତି ତଳସ୍ତରର ରାଜନୀତିକୁ ଦର୍ଶାଉଛି।

ଶ୍ରୀମତୀ ଦେଓ ଓ ଶ୍ରୀମତୀ ମିଶ୍ର କହିଛନ୍ତି ଏଭଳି ସମ୍ବେଦନଶୀଳ ଘଟଣାରେ ପୂର୍ବରୁ ଓଡ଼ିଶାରେ କୌଣସି ଜାତୀୟ ଦଳ ନିମ୍ନସ୍ତରର ରାଜନୀତି କରିବାର ନଜିର ନାହିଁ। ବିଜେପିର ଏଭଳି ଆଚରଣ ଯୋଗୁଁ ଓଡ଼ିଶାବାସୀ ନିକଟ ଅତୀତରେ ଦଳକୁ ପରାଜୟର ସ୍ୱାଦ ଚଖାଇଥିବାବେଳେ ଆଗାମୀ ଦିନରେ ମଧ୍ୟ ଦଳ ଏଭଳି ସ୍ଥିତିର ବାରମ୍ବାର ସାମ୍ନା କରିବ ବୋଲି ଶ୍ରୀ ମହାନ୍ତି ସତର୍କ କରାଇ ଦେଇଛନ୍ତି। ତେଣୁ ବିଜେଡି ଆଶା କରୁଛି ଯେ, ବିଜେପି ନେତାମାନଙ୍କର ଜ୍ଞାନ ଉଦୟ ହେବା ସହିତ ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ରାଜନୀତି କରିବାରୁ ସେମାନେ ବିରତ ରହିବେ।