ଶସ୍ତା ରାଜନୀତି କରୁଛି ବିଜେପି: ବିଜେଡି

ଭୁବନେଶ୍ୱର, ଏନ୍ଏନ୍ଏସ୍ : ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି। ନିଜର ସ୍ଥିତି ଜାହିର ପାଇଁ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ଓଡିଶାବାସୀଙ୍କୁ ମିଛ କହୁଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି। ଆଜି ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ମିଛ କହିବାର ଗୋଟିଏ ସୀମା ଅଛି, ହେଲେ ବିଜେପି ତାହାକୁ ଟପିଗଲାଣି। ଯେତେ ମିଛ କହିଲେ ସତ କେବେ ମିଛ ହୋଇପାରିବ ନାହିଁ।

ଡକ୍ଟର ପାତ୍ର କହିଛନ୍ତି ଯେ, ଯାଜପୁର ଘଟଣାରେ ବିଜେପି ହାତରେ କୌଣସି ପ୍ରମାଣ ନାହିଁ। କେବଳ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ଭୂଆଁ ବୁଲାଉଛି। ଯଦି କୌଣସି ପ୍ରମାଣ ଦଳ ପାଖରେ ରହିଛି ତାହାକୁ ତୁରନ୍ତ ପୁଲିସ୍‍ କିମ୍ବା ଅଦାଲତକୁ ଦେବା ଆବଶ୍ୟକ। ହେଲେ ବିଜେପି ଏଭଳି କିଛି କରୁନଥିବାରୁ ଏହି ଦଳ ହାତରେ କୌଣସି ପ୍ରମାଣ ନାହିଁ ଓ କେବଳ ସାମ୍ବାଦିକ ସମ୍ମିଳନୀ କରି ନିଜର ସ୍ଥିତି ଜାହିର କରୁଥିବା ସେ କହିଛନ୍ତି। ଏହି ଘଟଣାରେ ପୁଲିସ୍‍ ଜଣକୁ ଗିରଫ କରିଥିବାବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରହିଛି। ହେଲେ ବିଜେପି ମନଗଢା କାହାଣୀ ସୃଷ୍ଟି କରି କେବଳ ନିଜର ହତାଶା ଭାବ ଦର୍ଶାଉନାହିଁ ବରଂ ପୁଲିସ୍‍ ତଦନ୍ତକୁ ବି ବାଟବଣା କରିବାରେ ଲାଗିଛି। ନିକଟରେ ଓଡିଶାବାସୀ ବିଜେପିକୁ ଉପନିର୍ବାଚନରେ ପ୍ରତ୍ୟାଖାନ କରିଥିବାବେଳେ ଦଳ ଯଦି ଏଭଳି ମିଛ ଖବର ପ୍ରଚାରରୁ ବିରତ ନ ରୁହେ, ତେବେ ରାଜ୍ୟବାସୀ ଆଗାମୀ ଦିନରେ ମଧ୍ୟ ଦଳକୁ ଅନୁୁରୂପ ଭାବେ ଶିକ୍ଷା ଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି।