୫-ଟି ସଂକ୍ରାନ୍ତରେ ଅବଗତ ନୁହନ୍ତି ଅପରାଜିତା : ବିଜେଡି

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଓଡ଼ିଶା ସରକାରଙ୍କ ୫-ଟି ସଂକ୍ରାନ୍ତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅବଗତ ନାହାନ୍ତି। ଯୋଜନା ସଂକ୍ରାନ୍ତରେ ତାଙ୍କର ସାମାନ୍ୟ ଧାରଣା ଥିଲେ ସିଏ ଏହାକୁ ରାଜନୀତିକରଣ କରୁନଥାନ୍ତେ ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି। ୫-ଟି ସଂକ୍ରାନ୍ତରେ ଅପରାଜିତା ଦେଇଥିବା ମନ୍ତବ୍ୟର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତିଯେ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବୋଧେ ଅବଗତ ନାହାନ୍ତି ଯେ ୫-ଟି ଦ୍ୱାରା ଓଡ଼ିଶାବାସୀଙ୍କୁ ତାଙ୍କ ମର୍ଯ୍ୟାଦାପୂର୍ଣ୍ଣ ସହାୟତା ଦେବାରେ ଏକ ଅଭିନବ କାର୍ଯ୍ୟ। ସରକାରୀ ବ୍ୟବସ୍ଥାକୁ ବୃହତ ପରିବର୍ତ୍ତନ କରି ଲୋକାଭିମୁଖୀ କରିବାରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ୫-ଟି ଏକ ବିଭାଗ ନୁହେ ବରଂ ଏହା ପ୍ରତ୍ୟେକ ବିଭାଗକୁ ଆହୁରି ଲୋକାଭିମୁଖୀ ହୋଇ ଉତ୍ତମ ମାନର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବାପାଇଁ ଏକ ବ୍ୟବସ୍ଥା ମାଧ୍ୟମରେ ଦିଗ, ଦିଶା ଓ ଆଭିମୁଖ୍ୟ ଦେଉଛି।

ଏହା ଆଶ୍ଚର୍ଯ୍ୟର ବିଷୟ ଯେ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହୁଛନ୍ତି ଏଥିରେ କିଛି ନୂତନତ୍ୱ ନାହିଁ। ଯଦି ନାହିଁ, ତେବେ ସେ ସ୍ପଷ୍ଟ କରିବା ଦରକାର ଯେ ବିଜେପି ଶାସିତ କେଉଁ ରାଜ୍ୟ ମାନଙ୍କରେ ଏହା କାର୍ଯ୍ୟକାରୀ ହୋଇଛି ଏବଂ ଯେହେତୁ ସେ ଓଡ଼ିଶାର ଜଣେ ପ୍ରଶାସକ ଥିଲେ ତାଙ୍କ କାର୍ଯ୍ୟକାଳରେ ୫-ଟି କେଉଁଠି ଓ କି ପ୍ରକାର ଭାବରେ କାର୍ଯ୍ୟକାରୀ କରିଥିଲେ। ଯଦି କାର୍ଯ୍ୟକାରୀ କରିଥିଲେ ତେବେ ଆଜି ପର୍ଯ୍ୟନ୍ତ ୫-ଟି ବିଷୟରେ ନିରବ କାହିଁକି ଥିଲେ ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି। ୫-ଟି ଓ ମୋ ସରକାର ଓଡ଼ିଶାରେ ଏକ ବିଶାଳ ପରିବର୍ତ୍ତନ ଆଣିବା ସହିତ ରାଜ୍ୟବାସୀଙ୍କ ସହାୟକ ହେଉଛି। ଏହାକୁ ନେଇ ଜନସାଧାରଣ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି ଓ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରୁଛନ୍ତି। ଏହି ସମୟରେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଦ୍ୱାରା ଏକ ପ୍ରଶାସନିକ କାର୍ଯ୍ୟକୁ ରାଜନୈତିକ ଦିଗ ଦେବା ଓ ସମାଲୋଚନା କରିବା ଦର୍ଶାଉଛି ଯେ ସେ ୫-ଟି ର ପ୍ରଶଂସନୀୟ କାର୍ଯ୍ୟକୁ ଗୌଣ କରିବାକୁ ଅପଚେଷ୍ଟା କରୁଛନ୍ତି ଓ ଲୋକଙ୍କ କଲ୍ୟାଣ ବିଷୟରେ ମନଯୋଗୀ ନ ହୋଇ ୫-ଟିକୁ ରାଜନୀତିକରଣ କରିବାକୁ ଅଧିକ ମନଯୋଗୀ ଅଛନ୍ତି। ଏହା ତାଙ୍କ ଠାରୁ ଆଶା କରାଯାଏ ନାହିଁ।