ବଢିଲା ବିଜେଡି ଜନସମ୍ପର୍କ ପଦଯାତ୍ରା ଅବଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ବିଜେଡି ଜନ ସମ୍ପର୍କ ପଦଯାତ୍ରା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଦଳର ନେତା ଓ କର୍ମୀଙ୍କ ଅନୁରୋଧ କ୍ରମେ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଜେଡି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ ଅକ୍ଟୋବର ୧୧ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ପାଳନ କରାଯିବ ନେଇ ସ୍ଥିର କରାଯାଇଥିଲା।

ଏହି ଅବସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ, ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଏବଂ ଅକ୍ଟୋବର ୧୧ ତାରିଖରେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ସହରଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା। ଏହାକୁ କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ସଫଳ କରିବା ପାଇଁ ସଭାପତି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି।

‘ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ବିଜେଡିର କର୍ମୀମାନଙ୍କ କଠିନ ପରିଶ୍ରମ ଯୋଗୁଁ ବିଜୁଜନତା ଦଳ ସରକାର ପୁଣିଥରେ ଲୋକଙ୍କ ସେବା କରିବାର ସୁଯୋଗ ପାଇଛି। ବିଜେଡିର ପଦଯାତ୍ରା ଲୋକଙ୍କୁ ଭେଟିବା ପାଇଁ ଏକ ସୁଯୋଗ। ଏ ସମୟରେ ଲୋକଙ୍କ ସମସ୍ୟା ବୁଝନ୍ତୁ, ସରକାରଙ୍କ ଭଲକାମକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ।’ ଭୁବନେଶ୍ୱରରୁ ଦଳର ପଦଯାତ୍ରାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନେତା ଓ କର୍ମୀଙ୍କୁ ଏହି ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ସ୍ଥିତ ୱାର୍ଡ ନମ୍ବର ୬୨ର କାର୍ଗିଲ ରୋଡରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ କର୍ମୀ ଓ ନେତାଙ୍କ ସହ ପଦଯାତ୍ରାରେ ସାମିଲ ହୋଇ ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ବିଜେଡି ସବୁ ପୁରପଲ୍ଲୀରେ ପହଞ୍ଚି ଲୋକଙ୍କ ପାଖରେ ବିଜେଡି ସରକାରଙ୍କ ସଫଳତା ସମ୍ପର୍କରେ ଅବଗତ କରାଇବ।

ପଦଯାତ୍ରା ସହିତ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନକୁ ଗୁରୁତ୍ୱ ଦେଇ ଦଳର ସଭାପତି ନେତାଙ୍କୁ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଆସୁଛନ୍ତି। ସହରାଞ୍ଚଳ ଏବଂ ପଞ୍ଚାୟତର ପ୍ରତ୍ୟେକ ୱାର୍ଡରେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ, ବ୍ଲକ ଏବଂ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଂଯୋଜକ, ନିର୍ବାଚନମଣ୍ଡଳୀ ଏବଂ ଜିଲ୍ଲାସ୍ତରରେ ଜିଲ୍ଲା ସଭାପତି, ବିଧାୟକମାନେ ଉପସ୍ଥିତ ରହି ଜନ ସମ୍ପର୍କ ପଦଯାତ୍ରା ସହ ସଦସ୍ୟତା କାର୍ଯ୍ୟକ୍ରମକୁ ସଫଳ କରାଯାଇବା ପାଇଁ ଦଳର ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ଦଳର ମହିଳା, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ, ଯୁବ ଏବଂ ଛାତ୍ର ଶାଖା ସହିତ ବିଜେଡିର ଅନ୍ୟାନ୍ୟ ପ୍ରମୁଖ ସଂଗଠନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। କାର୍ଯ୍ୟକ୍ରମ ସମ୍ବନ୍ଧିତ ସମସ୍ତ ବିବରଣୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ। ଏହିସବୁ କାର୍ଯ୍ୟକ୍ରମକୁ ସୁପ୍ରିମୋ ନିଜେ ଅନୁଧ୍ୟାନ କରିବେ।

ବିଜେଡି ସୁପ୍ରିମୋ ଦଳର ଯୁବ ୱିଙ୍ଗକୁ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି। ଯୁବଶକ୍ତି ହେଉଛନ୍ତି ରାଜ୍ୟର ଭବିଶ୍ୟତ। ତେଣୁ ଏହି ଯୁବପୀଢୀଙ୍କୁ ସମାଜସେବା କାମରେ ନିୟୋଜିତ କରିବା ପାଇଁ ସଭାପତି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଗାନ୍ଧୀଙ୍କ ୧୫୦ ଜୟନ୍ତୀ ଅବସରରେ ତାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ବିଜୁଜନତା ଦଳ ଏକ ‘ସୋସିଆଲ ସର୍ଭିସ୍ ୱିଙ୍ଗ’୍ ଆରମ୍ଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।