ବିଶୃଙ୍ଖଳିତ ସ୍ଥିତିରେ ବିଜେଡି ଏଥର ନିର୍ବାଚନ ଲଢ଼ୁଛି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନରେ ଦଳୀୟପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହାକୁ ନେଇ ବିଜେପି କଟାକ୍ଷ କରିଛି। ଏକ ଦ୍ୱନ୍ଦାତ୍ମକ ଏବଂ ବିଶୃଙ୍ଖଳିତ ସ୍ଥିତିରେ ବିଜେଡି ଏଥର ନିର୍ବାଚନ ଲଢ଼ିବାକୁ ଯାଉଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ସେ କହିଛନ୍ତି ଯେ, କିଛି ଅଂହକାରୀ ଲୋକ କିଛି ଦିନ ପାଇଁ ସାଙ୍ଗରେ ରହିପାରନ୍ତି। ମାତ୍ର ସ୍ୱାର୍ଥରେ ଆଞ୍ଚ ଆସିଲେ ଦ୍ୱନ୍ଦ ବାହାରେ; ଯାହା ବିଜେଡିରେ ବର୍ତ୍ତମାନ ପ୍ରତିଫଳିତ ହେଉଛି। ବର୍ତ୍ତମାନ ଉଭୟ ତିର୍ତ୍ତୋଲ ଏବଂ ବାଲେଶ୍ୱରରେ ବିଜେଡି ଦଳରେ ବିଶୃଙ୍ଖଳା ଓ ଅନ୍ତଦ୍ୱର୍ନ୍ଦ ସ୍ପଷ୍ଟ ଭାବେ ଦେଖାଯାଉଛି। ପୂର୍ବରୁ ଅଫିସରଙ୍କୁ ଭରଷା କରି ବିଜେଡି ନିର୍ବାଚନ ଲଢ଼ିଆସିଛି। ବ୍ୟୁରୋକ୍ରାଟିକ ସେଟଅପକୁ ପ୍ରାୟୋଜିତ କରି ଦଳ ୨୦୧୯ ନିର୍ବାଚନ ଲଢ଼ିଥିବା ବେଳେ ବର୍ତ୍ତମାନ ଶାସକ ଦଳ ପାଇଁ ତାହା ଏକମାତ୍ର ଆଶା ଭାବେ ଉଭା ହୋଇଛି। ମାତ୍ର ବିଜେପି ଏକମୁହା ହୋଇ ଦୁଇଟି ଯାକ ନିର୍ବାଚନ ଲଢ଼ୁଛି। ଲୋକମାନଙ୍କର ବିଶ୍ୱାସ ଭାଜନ ହେବା ପାଇଁ ଯାହା ଯାହା ପ୍ରକ୍ରିୟା ତାହାକୁ ଦଳ ପକ୍ଷରୁ ପ୍ରାଧାନ୍ୟ ଦିଆଯାଉଛି।

ବିଶେଷକରି ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଯେଉଁ ଅବଦାନ ତାହାକୁ ଜନତାଙ୍କ ସାମ୍ନାରେ ଉତ୍ଥାପନ କରାଯାଇ ବିଜେପି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଉଭୟ ବାଲେଶ୍ୱର ଏବଂ ତିର୍ତ୍ତୋଲରେ ଶାସକ ଦଳ ଦୀର୍ଘଦିନ ଧରି କ୍ଷମତାରେ ରହିଥିଲେ ମଧ୍ୟ ଦୁଇ ନିର୍ବାଚନମଣ୍ଡଳୀର ବିକାଶକୁ ପ୍ରାଧାନ୍ୟ ଦେଇନି। ଏଠାରେ ବିକାଶର ଧାରାକୁ ଆଗେଇ ନେବା ପାଇଁ ଭୋଟର ସେମାନଙ୍କ ସୁଚିନ୍ତିତ ମତାମତ ବିଜେପି ସମର୍ଥନ ଦେବା ନେଇ ଆମେ ଆଶା ରଖିଛୁ ବୋଲି ପୃଥ୍ୱୀରାଜ କହିଛନ୍ତି। ତିର୍ତ୍ତୋଲରେ ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରା ୨୦୦୯ ଓ ୨୦୧୪ ନିର୍ବାଚନରେ ଭିନ୍ନ ଦଳରେ ଥିଲେ ମଧ୍ୟ ତାଙ୍କ ଲୋକପ୍ରିୟତା ସାଧାରଣ ଲୋକଙ୍କ ସହ ଯୋଡ଼ିହେବାର କଳା ଏବଂ ଦାମ୍ଭିକତା ଦୃଷ୍ଟିରୁ ଭଲ ଭୋଟ ପାଇଥିଲେ। ଅନ୍ୟପକ୍ଷରେ ତିର୍ତ୍ତୋଲରେ ବିଜେପିର ସଂଗଠନ ଏହା ମଧ୍ୟରେ ଅନେକ ମାତ୍ରାରେ ସୁଦୃଢ଼ ହୋଇପାରିଛି। ଗତ ପଞ୍ଚାୟତ ନିର୍ବାଚନରେ ଆମେ ସେଠାରେ ଭଲ ପ୍ରଦର୍ଶନ କରିଥିଲୁ। ଉଭୟ ରଘୁନାଥପୁର ଏବଂ ତିର୍ତ୍ତୋଲ ବ୍ଲକରେ ଆମେ ଶାସକ ଦଳଠାରୁ ଆଗରେ ଥିଲୁ। ଦଳୀୟ ସଂଗଠନ ଏବଂ ରାଜକିଶୋର ବେହେରାଙ୍କ ଭବମୂର୍ତ୍ତି ପାଇଁ ଦଳ ସେଠାରେ ବିଜୟୀ ହେବ ବୋଲି ପୃଥ୍ୱୀରାଜ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।