ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ବିଜେଡି ପକ୍ଷରୁ ୨୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭଟଲି ବିଧାୟକ ସୁଶାନ୍ତ ସିଂ ଓ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ୨୦୨୪ ନିର୍ବାଚନରେ ଦଳୀୟ ପ୍ରଦର୍ଶନ ପାଇଁ ମନ୍ତ୍ର ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପଞ୍ଚାୟତର ହଜାରେରୁ ଊର୍‌ଦ୍ଧ୍ୱ ମହିଳା ଓ ଯୁବ ଗୋଷ୍ଠୀ ସାମିଲ ହୋଇଛନ୍ତି । ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ସାଧାରଣ ସଭାରେ ଓଡ଼ିଶା କେନ୍ଦୁପତ୍ର ଉନ୍ନୟନ ବୋର୍ଡ ଅଧ୍ୟକ୍ଷ ସଂଜିତ ମହାନ୍ତି ଓ ପର୍ଯ୍ୟବେକ୍ଷକ ଅଶ୍ୱିନୀ ତ୍ରିପାଠୀ ମଞ୍ଚାସିନ ରହି ଉପସ୍ଥିତ ଜନସାଧାରଣଙ୍କୁ ଦଳକୁ ସଂଗଠିତ ରଖିବା ପାଇଁ ଶପଥ ପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ସରପଞ୍ଚ ସଂଘ ସଭାପତି ସତ୍ୟ ନାରାୟଣ ପାଣୀ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ସୁଜିତ ପ୍ରଧାନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଇଂ ଭୂପେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ନିଜ ବକ୍ତବ୍ୟରେ ଆଗାମୀ ୨୦୨୪ ନିର୍ବାଚନରେ ଦେବଗଡ଼ ଜିଲ୍ଲାରେ ଥିବା ଡବଲ ଇଞ୍ଜିନକୁ ଜିଲ୍ଲାରୁ ଫୋଫାଡ଼ି ଦେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଭଟଲି ବିଧାୟକ ସୁଶାନ୍ତ ସିଂ ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆଜି ସାରା ରାଜ୍ୟରେ ମହିଳା ସଶକ୍ତିକରଣ ବିଶ୍ୱରେ ଚହଳ ପକାଇ ଥିବାବେଳେ ତାଙ୍କର ଦୂରଦୃଷ୍ଟି ଯୋଗୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ହୋଇଥିବା ପ୍ରକାଶ କରିଥିଲେ । ଅନ୍ୟପଟେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ନିଜ ବକ୍ତବ୍ୟରେ ପ୍ରତିଷ୍ଠା ଦିବସ କେବଳ ଦଳର ପ୍ରତିଷ୍ଠା ଉତ୍ସବ ନୁହେଁ ବରଂ ଦଳକୁ ସୁଦୃଢ କରିବାକୁ ସଂକଳ୍ପ ନେବାର ଦିବସ ବୋଲି ଅବିହିତ କରିଥିଲେ ।