ଭୁବନେଶ୍ୱର,ଏନ୍ଏନ୍ଏସ୍: ଧାମନଗର ଉପନିର୍ବାଚନ ଜିତିବା ଲାଗି ବିଜୁ ଜନତା ଦଳ ଏବେ ସୋସିଆଲ ମିଡିଆ ମାଧ୍ୟମରେ ଭୋଟରଙ୍କୁ ଭ୍ରମିତ କରୁଛି । ପୂର୍ବରୁ ବିଜୁ ଜନତା ଦଳ ପ୍ରଶାସନିକ ଅଧିକାରୀ, ଏସ୍ଏଚଜି, ଏମ୍ବିକେ, ସିଆରପି ମାଧ୍ୟମରେ ଟଙ୍କା ବଂଟନ କରି ଭୋଟରଙ୍କୁ ବିଚଳିତ କରିବାର ସମସ୍ତ ଅପଚେଷ୍ଟା କରିଥିଲା । ଏନେଇ ଭାରତୀୟ ଜନତା ପାର୍ଟି ସମସ୍ତ ତଥ୍ୟ ଓ ପ୍ରମାଣ ସହ ସିଇଓଙ୍କ ପାଖରେ ଫେରାଦ ହୋଇଥିଲା । ସିଇଓ ମଧ୍ୟ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । କିନ୍ତୁ ଶାସକ ଦଳ ନସୁଧୁରି ପୁଣି ବିଜେଡି ନେତ୍ରୀ ସ୍ୱର୍ଣ୍ଣଲତା ନାୟକ ଏକ ମିଥ୍ୟା ଏକଜିଟ୍ ପୋଲର “ବିଜେଡି ଜିତୁଛି ଧାମନଗର” ଡିଜାଇନ୍ ବନାଇ ତାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରାଉଛନ୍ତି । ଏନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ଆଭିମୁଖ୍ୟରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦେଇଛନ୍ତି ।
ନିର୍ବାଚନ ପ୍ରଚାର ଗତ ୧ ତାରିଖ ସନ୍ଧ୍ୟାରୁ ସରିବା ପରେ କୌଣସି ପ୍ରକାରର ଏଗ୍ଜିଟ୍ ପୋଲ୍ ହେଇପାରିବ ନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ମଧ୍ୟରେ ବିଜୁ ଜନତା ଦଳ ତାର ପୁରୁଣା କାରନାମା ଜାରି ରଖୁଛି । ବିଜେଡି ନେତ୍ରୀ ସ୍ୱର୍ଣ୍ଣଲତା ନାୟକ ଏକ ମିଥ୍ୟା ଏଗ୍ଜିଟ୍ ପୋଲର “ବିଜେଡି ଜିତୁଛି ଧାମନଗର” ଡିଜାଇନ୍ ବନାଇ ତାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରି ଅପରାଧ କରିଛନ୍ତି । କିନ୍ତୁ ଧାମନଗର ଉପନିର୍ବାଚନରେ ଏହା ମିଥ୍ୟା ବିବୃତି ବୋଲି ଗଣମାଧ୍ୟମ ଏହାକୁ ପ୍ରସାରିତ କରିଛି । ଏହା ସିଧାସଳଖ ଏକ ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟ ଏବଂ ୧୨୬-ଇ ଲୋକ ପ୍ରତିନିଧି ଅଧିନିୟମ, ୧୯୫୧ର ଜାଣିଶୁଣି ଆଚରଣ ବିଧି ଉଲ୍ଲଘଂନ କରୁଛି ଶାସକ ଦଳ ।
୨୨ବର୍ଷ ଶାସନ କଲା ପରେ ଅନେକ ନିର୍ବାଚନ ଲଢି ସେଥିରୁ ଅଧିକାଂଶ ନିର୍ବାଚନ ଜିତିବା ପରେ ମଧ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର କ’ଣ ଏମିତି ଅକାଳ ପଡିଛି ଯେ, ମିଥ୍ୟା ଭିଡିଓ, ଅଡିଓ କରି ଲୋକଙ୍କୁ ଭ୍ରମିତ କରିବା, ସମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା, ଟଙ୍କା ବାଂଟିବା, ପୁଲିସ ପ୍ରଶାସନକୁ ନିଜ ହାତବାରିସି ସଜାଇ ଲୋକଙ୍କୁ ଧମକାଇବା, ଫଲ୍ସ କେସ୍ କରିବା ଏହା ଦ୍ୱାରା ସ୍ପଷ୍ଟ ହେଉଛି ଯେ, ବିଜୁ ଜନତା ଦଳ ବିଫଳତାକୁ ବୋଧେ ହଜମ କରିପାରୁନାହିଁ ଓ ଭୟରେ ଶାସକ ଦଳ ଆଜି ରକ୍ତଚାଉଳ ଚୋବାଉଛି । ମିଥ୍ୟା ଅଡିଓ, ଭିଡିଓ ପ୍ରସ୍ତୁତ କରି ମତଦାତାଙ୍କୁ ଭ୍ରମିତ କରୁଛନ୍ତି ଯେଉଁଥିରେ କି ସେଥିରେ ଶାସକ ଦଳ ସଫଳ ହେବ ନାହିଁ ।
ଧାମନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନ ନିୟମକୁ ଖୋଲାଖୋଲି ଉଲଘଂନ କରୁଛି ବିଜୁ ଜନତା ଦଳ । ଏହି ଅଂଚଳରେ ମୁକ୍ତ, ନିରପେକ୍ଷ ଉପନିର୍ବାଚନ କରିବାକୁ ବିଜେପି ସିଇଓଙ୍କୁ ଦାବି କରିଛି । ଏନେଇ ତୁରନ୍ତ ସାଇବର୍ କ୍ରାଇମ୍ ବିଭାଗ ଓ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ଦାୟିତ୍ୱ ନେଇ ତଦନ୍ତ କରି ଏ ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁ ।ନ ନେବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି ।
ଏଭଳି ଅନୈତିକ ଓ ବେଆଇନ କାମ କାହିଁକି ବିଜୁ ଜନତାଦଳ କରୁଛି ଏତେ ଦୀର୍ଘ ସମୟ ଓଡିଶା ବାସୀଙ୍କ ଆର୍ଶୀବାଦ ପାଇବା ପରେ ବି ଶାସକ ଦଳର ଏପରି କାମ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମକୁ ସୁସ୍ଥ ଗଣତନ୍ତ୍ର ଏବଂ ସ୍ୱଚ୍ଛ ନିର୍ବାଚନ ଦରକାର । ସବୁ ରାଜନୈତିକ ଦଳ ଉପରେ ଇସିଆଇର ଗାଇଡ୍ଲାଇନ ଲାଗୁ ହେଉ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳିର ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଓ ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।