ବିଜେଡି ଫେକ୍ଟ ଫାଇଣ୍ଡିଙ୍ଗ ଟିମର ଶିଳ୍ପାଞ୍ଚଳ ପରିଦର୍ଶନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିଜେଡି ଫେକ୍ଟ ଫାଇଣ୍ଡିଙ୍ଗ ଟିମ୍ ଝାରସୁଗୁଡ଼ା ଶିଳ୍ପାଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ହେଉଥିବା ଶିଳ୍ପ ପ୍ରଦୂଷଣର ପ୍ରଭାବ ଅନୁଧ୍ୟାନ ସକାଶେ ବିଜେଡିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲିଠାରେ ପ୍ରତିଷ୍ଠିତ ଏନଟିପିସିର ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ ଏବଂ ହିରମାଠାରେ ପ୍ରସ୍ତାବିତ ଏନଏଲସି ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଅନୁଧ୍ୟାନ ପରେ ଟିମ୍ ସଦସ୍ୟମାନେ କହିଥିଲେ ଯେ, ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ଏହି ଅଞ୍ଚଳର ପରିବେଶ କେତେ ପରିମାଣର ଶିଳ୍ପ ବୋଝକୁ ବୋହି ନେଇପାରିବ ତା’ର ଅନୁଧ୍ୟାନ ହେବାର ଆବଶ୍ୟକତା ରହିଛି। ମାତ୍ର କେନ୍ଦ୍ର ସରକାରଙ୍କ ତାପଜ ବିଦ୍ୟୁତ ଉତ୍ପାଦନ ମୋହ ଆଜି ପଶ୍ଚିମ ଓଡ଼ିଶାର ଏହି ତିନି ଜିଲ୍ଲାକୁ ପରିବେଶଗତ ବିପର୍ଯ୍ୟୟ ମୁହାଁ କରାଇଛି। କେନ୍ଦ୍ର ସରକାରଙ୍କ ସଂସ୍ଥା ଏନ୍ଟିପିସି ଝାରସୁଗୁଡ଼ା ଜିଲ୍ଲାକୁ ଲାଗି ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲି ଏବଂ ଛତିଶଗଡ଼ ରାଜ୍ୟର ଲରାଠାରେ ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା କରିବା ଦ୍ୱାରା ଏହାର ପ୍ରଭାବ ଝାରସୁଗୁଡ଼ା ଜିଲ୍ଲା ଉପରେ ପଡ଼ୁଛି। ତେଣୁ ଝାରସୁଗୁଡ଼ା ଜିଲ୍ଲା ଉପରେ ଉଭୟ ପରିବେଶଗତ ଏବଂ ସାମାଜିକ ସନ୍ତୁଳନ ବଜାୟ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବିଜେପି ନେତା ଏହି ସବୁ ପ୍ରକଳ୍ପ ବନ୍ଦ କରିବାକୁ ଦାବି କରିବେ କି ବୋଲି ବିଜେଡି ଫେକ୍ଟ ଫାଇଣ୍ଡିଙ୍ଗ ଟିମ୍ ପ୍ରଶ୍ନ କରିଛନ୍ତି। ଜିଲ୍ଲା ବିଜେଡିର ଫେକ୍ଟ ଫାଇଣ୍ଡିଙ୍ଗ ଦଳ ଶିଳ୍ପାଞ୍ଚଳର ପ୍ରକୃତ ପ୍ରଦୂଷଣ ବିଷୟରେ ଆକଳନ କରି ଏହାକୁ ରୋକିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବାସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରିବ ବୋଲି ବିଜେଡି ଫେକ୍ଟ ଫାଇଣ୍ଡିଙ୍ଗ ଟିମ ପକ୍ଷରୁ କୁହାଯାଇଛି। ଏହି ସମୟରେ ପୂର୍ବତନ ବିଧାୟକ ଯୋଗେଶ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପଟେଲ, ଝାରସୁଗୁଡ଼ାର ପୂର୍ବତନ ନଗରପାଳ ହରିଶ ଗଣତ୍ରା ଓ ଝାରସୁଗୁଡ଼ା ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଭୋଇ ପ୍ରମୁଖ ସାମିଲ ହୋଇଥିଲେ।