ବିଜେପିରେ ମିଶିଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୋମବାର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ବିଜେଡି ଏବଂ କଂଗ୍ରେସ ଦଳର ଶତାଧିକ କାର୍ଯ୍ୟକର୍ତ୍ତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ନୂତନ ଭାବେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ଘୁମୁସୁର (ଗଞ୍ଜାମ) ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଜିଲ୍ଲାର ବରିଷ୍ଠ ନେତା ରମାକାନ୍ତ ଭୋଇ ଏବଂ ରାଜକିଶୋର ବେହେରା ପ୍ରମୁଖ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଏହି ମିଶ୍ରଣ ପର୍ବରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଅନେକ ସରପଞ୍ଚ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସମିତି ସଭ୍ୟ, ଜିଲ୍ଲା ପରିଷଦ ପ୍ରାର୍ଥୀ, ତୃଣମୂଳ ସ୍ତରୀୟ ନେତା ବିଜେପିରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନକଲ୍ୟାଣ ଓ ରାଷ୍ଟ୍ରହିତକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରି ଭାରତବର୍ଷକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହେଉଛନ୍ତି। ଶାସକ ବିଜେଡିର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢ଼େଇ କରିବା ପାଇଁ ସେମାନେ କାର୍ଯ୍ୟ କରିବେ ବୋଲି ବିଜେପିରେ ସାମିଲ ହୋଇଥିବା ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।