କୋଭିଡ କଟକଣା ନିୟମିତ ଉଲ୍ଲଙ୍ଘନ କରୁଛନ୍ତି ବିଜେପି ସାଂସଦ : ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ନେତାମାନେ ନିୟମିତ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କୋଭିଡ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରୁଛନ୍ତି। ଆଜି ଫ୍ଲାଏଓଭର ଭୂମିପୂଜନ ସମୟରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ତାଙ୍କ ସମର୍ଥକମାନେ ସବୁ ସୀମା ଟପିବା ସହିତ ସାମାଜିକ ଦୂରତ୍ୱ ନିୟମକୁ ଏକ ପ୍ରକାର ଅଳିଆଗଦାକୁ ଫିଙ୍ଗିଦେଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ, ପୂର୍ବରୁ ମଧ୍ୟ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କୋଭିଡ ମାର୍ଗଦର୍ଶିକା ନମାନି ସାମାଜିକ ଦୂରତ୍ୱ ନିମୟକୁ ଉଲ୍ଲଙ୍ଘନ କରିଥିଲେ। ଏଭଳି ଭୁଲ୍‍କୁ ସେ ନିଜେ ସ୍ୱୀକାର କରିଥିବାବେଳେ ଏଥିପାଇଁ ବିଜେପି ମଧ୍ୟ ଦୁଃଖପ୍ରକାଶ କରିଥିଲା। ଏହା ପରେ ବି ସେ ନିୟମିତ ଭାବେ କରୋନା କଟକଣା ନିୟମକୁ ଅମାନ୍ୟ କରି ଚାଲିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଓଡ଼ିଶାର ସାଢ଼େ ଚାରିକୋଟି ଲୋକ ଗ୍ରହଣକରି କୋଭିଡ କଟକଣାକୁ ମାନି ଚଳୁଥିବାବେଳେ ଜଣେ ନିର୍ବାଚିତ ଲୋକ ପ୍ରତିନିଧି ଭାବେ ସାଂସଦ ଷଡ଼ଙ୍ଗୀ ବାରମ୍ବାର ନିୟମ ଉଲ୍ଲଙ୍ଘନ କରିବା ଖରାପ ଉଦାହରଣ ସୃଷ୍ଟି କରୁଛି। ତେଣୁ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଏଭଳି ଖରାପ ଉଦାହରଣ ସୃଷ୍ଟି ନକରିବା ସହିତ ସାଂସଦ ଷଡ଼ଙ୍ଗୀ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ ମାର୍ଗଦର୍ଶିକାକୁ ମାନିବାପାଇଁ ବିଜେଡି ମୁଖପାତ୍ର ଡକ୍ଟର ପାତ୍ର ପରାମର୍ଶ ଦେଇଛନ୍ତି।