ହିଂସ୍ର ଆଚରଣ ଲୁଚାଇବାକୁ ବିଜେପିର କୁମ୍ଭୀର କାନ୍ଦଣା: ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡି କର୍ମୀଙ୍କ ଦ୍ୱାରା ବିଜେପି ନେତ୍ରୀ ଓ ବୁଥ୍ ସଭାପତିଙ୍କୁ ପିପିଲିରେ ଆକ୍ରମଣ ହୋଇଥିବା ଦର୍ଶାଇ ବିଜେପି ସିଇଓଙ୍କ ଦ୍ୱାରସ୍ଥ ହୋଇଛି। ଏନେଇ ବିଜେଡି ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛି। ବିଜେପି ନିଜର ହିଂସ୍ର ଆଚରଣ ଲୁଚାଇବାକୁ ଯାଇ ଚୋର ମୁହଁ ଟାଣ ନ୍ୟାୟରେ ପୁଣିଥରେ ସିଇଓଙ୍କ ନିକଟକୁ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି। ବିଜେପି ଅଭିଯୋଗର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ପିପିଲି ଉପନିର୍ବାଚନରେ ନିଜର ଶୋଚନୀୟ ପରାଜୟ ସମ୍ପର୍କରେ ଜାଣିବାପରେ ରାଜ୍ୟ ବିଜେପି ଏବେ ଏ ପ୍ରକାରର ମିଥ୍ୟା ଓ ଭିତ୍ତିହୀନ ଅପପ୍ରଚାରରେ ମାତିଛି। ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଉତ୍ତରପ୍ରଦେଶ ଓ ବିହାର ଭଳି ରାଜନୈତିକ ହିଂସା ଘଟାଇବା ପାଇଁ ବିଜେପି ଅଣ୍ଟା ଭିଡିଛି। ବିଜେପୁର ଉପନିର୍ବାଚନରେ ନିର୍ବାଚନୀ ହିଂସା ହେଉ କିମ୍ବା ଗତ ସାଧାରଣ ନିର୍ବାଚନ ସମୟରେ ହେଉ, ବିଜେପି ହିଂସାର ରାଜନୀତିକୁ ଆପଣେଇ ଓଡ଼ିଶା ଭଳି ପବିତ୍ର ଓ ଶାନ୍ତିପ୍ରିୟ ରାଜ୍ୟକୁ କଳୁଷିତ ପାଇଁ ଚେଷ୍ଟା କରିଆସୁଛି। ବିଜେପିର ଏଭଳି ହିଂସ୍ର ନିର୍ବାଚନୀ ରାଜନୀତିକୁ ଓଡ଼ ିଶାବାସୀ କେବେ ବି ଗ୍ରହଣ କରିନାହାନ୍ତି ଏବଂ ଏଥିପାଇଁ ବିଗତ ନିର୍ବାଚନଗୁଡିକରେ ଦଳକୁ ପରାଜୟର ବାଟ ଦେଖାଇଛନ୍ତି। ଏଥର ପିପିଲିବାସୀ ମଧ୍ୟ ବିଜେପିର ଏହି ନିର୍ବାଚନୀ ହିଂସାକୁ ଗ୍ରହଣ କରିବେ ନାହିଁ। ଏଭଳି ଆଚରଣପାଇଁ ବିଜେପିକୁ ଉଚିତ ଜବାବ ଦେବା ସହିତ ହିଂସାକୁ ପ୍ରଶ୍ରୟ ଦେଉଥିବା ଏହି ଦଳକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।