ସମ୍ବେଦନଶୀଳ ଘଟଣାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ : ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ଘଟୁଥିବା ବିଭିନ୍ନ ସ୍ପର୍ଶକାତର ଓ ଦୁର୍ଭାଗ୍ୟଜନକ ଘଟଣା ବିଶେଷକରି ମହିଳା ହିଂସା ଭଳି ସମ୍ବେଦନଶୀଳ ମାମଲାରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ଏଭଳି ଘଟଣାକୁ ନେଇ ରାଜନୀତି କରିବା ଆଦୌ ଉଚିତ୍‍ ନୁହେଁ ବୋଲି ବିଜେଡି ବାରମ୍ବାର କହି ଆସିଛି। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଏହା କହିଛନ୍ତି। ସେ କହିଛନ୍ତି ଯେ ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ମହିଳା ହିଂସା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି ନକରିବାପାଇଁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ନେତାମାନେ ଅତି କମ୍‍ରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କରିଥିବା ଅନୁରୋଧକୁ ଥରେ ଶୁଣିବା ସହିତ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରିବା ଉଚିତ୍‍ ନୁହେଁ ।

ସେହିଭଳି ଓଡିଶା କୃଷି କର୍ମଣ ପୁରସ୍କାର ପାଇବା ନେଇ ବିଜେପି ରଖିଥିବା ବକ୍ତବ୍ୟର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ, ଭୁଲ୍‍ ତଥ୍ୟ ଦେଇ ଓଡିଶା ସରକାର ଏହି ପୁରସ୍କାର ଆଣିଥିବା ଘେନି ବିଜେପି ଯାହା କହୁଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ବିଜେପିର ଏଭଳି ମନ୍ତବ୍ୟ ଶୁଣି ଲୋକେ ହସୁଥିବାବେଳେ ଏହାଦ୍ୱାରା ତାଙ୍କରି ଦଳର କେନ୍ଦ୍ର ସରକାର ଦେଇଥିବା ପୁରସ୍କାରର ବିଶ୍ୱସନୀୟତାକୁ ସେମାନେ ନିନ୍ଦା କରୁଥିବା ଏଥିରୁ ପ୍ରତୀୟମାନ ହେଉଛି ବୋଲି ଡକ୍ଟର ପାତ୍ର କହିଛନ୍ତି।