ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ ରାଜ୍ୟ By Nitidin Last updated Jan 28, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍ : ବାର୍ଡ ଫ୍ଲୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । କୁକୁଡ଼ା ମରା ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ୧୨ଟି ତ୍ୱରିତ କାର୍ୟ୍ୟକାରୀ ଦଳ(ରାପିଡ ରେସପନ୍ସ ଟିମ୍) ଗଠନ କରାଯାଇଛି। ସେଥିମଧ୍ୟରୁ ୭ଟି ଦଳ କୁକୁଡ଼ା ମରା କାର୍ୟ୍ୟରେ ନିୟୋଜିତ ହୋଇଥିବା ବେଳେ ଅନ୍ୟ ୫ଟି ଦଳ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ସଂକ୍ରମିତ ସ୍ଥାନର ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ରାପିଡ ରେସପନ୍ସ ଟିମ୍ ଓୟୁଏଟି କୁକୁଡ଼ା ଫାର୍ମର କୁକୁଡ଼ା ମାରିବା ସହ ମାଂସ ଦୋକାନ ଓ ଅନ୍ୟାନ୍ୟ ଫାର୍ମରେ ମହଜୁଦ ଥିବା କୁକୁଡ଼ାଙ୍କୁ ମାରି ଗଭୀର ଗାତରେ ପୋତିଛନ୍ତି । ଏହା ପରେ ଘରକୁ ଘର ବୁଲି ଯେଉଁମାନେ କୁକୁଡ଼ା ରଖିଛନ୍ତି ସେଗୁଡ଼ିକୁ ମାରିବାର ବ୍ୟବସ୍ଥା କରାଯିବ । ନିରୀକ୍ଷଣ ଅଞ୍ଚଳରେ ନିୟୋଜିତ ଥିବା ତ୍ୱରିତ କାର୍ୟ୍ୟକାରୀ ଦଳ ନିୟମିତ ବ୍ୟବଧାନରେ କୁକୁଡ଼ାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବେ। ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାର୍ଡ ଫ୍ଲୁ ବାବଦରେ ସଚେତନ କରିବାକୁ ସଚେତନତା କାର୍ୟ୍ୟକ୍ରମ ହେବ। ଏହି ରୋଗ ମୁଖ୍ୟତଃ ଏଚ୍ ୫ ଏନ୍ ୧ ପ୍ରକାରର ଇନଫ୍ଲୁୟେଞ୍ଜା ଭୂତାଣୁ ଯୋଗୁ ହୋଇଥାଏ। ଏହାଦ୍ୱାରା କୁକୁଡ଼ା ଓ କୁକ୍କୁଟ ଜାତୀୟ ପକ୍ଷୀମାନେ ସାଧାରଣତଃ ଆକ୍ରାନ୍ତ ହୋଇଥାନ୍ତି। ମୁଖ୍ୟତଃ ବହିରାଗତ ପକ୍ଷୀମାନେ ଏହି ରୋଗର ବାହାକ ଭାବେ କାର୍ୟ୍ୟ କରନ୍ତି। ସେମାନଙ୍କ ଲାଳ ଓ ମଳରେ ଏହି ଭୂତାଣୁ ନିର୍ଗତ ହୋଇଥାଏ। ବାର୍ଡ଼ ଫ୍ଲୁକୁ ସଂକ୍ରମଣ ସଂପର୍କିତ ନିୟମାବଳୀ ଜାରି କରାଯାଇଛି । ଓୟୁଏଟିଠାରୁ ଗୋଟିଏ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରୁ ବାହାରକୁ କୌଣସି କୁକୁଡ଼ା ଓ କୁକ୍କୁଟଜାତୀୟ ପଦାର୍ଥ ଚାଲାଣ କରାଯାଇପାରିବ ନାହିଁ କି ପ୍ରବେଶ କରାଯିବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବାଣୁମୁକ୍ତ ପ୍ରମାଣପତ୍ର ପ୍ରଦାନର ୯୦ ଦିନ ପରେ ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ଓ କୁକ୍କୁଟଜାତୀୟ ପଦାର୍ଥର ବ୍ୟବସାୟ କରାଯାଇପାରିବ। Share