ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି(ଗୁରୁବାର) ପ୍ରଥମ ସିଡିଏସ୍ ବିପିନ ରାୱତଙ୍କ ମରଶରୀର ଦିଲ୍ଲୀରେ ପହଞ୍ଚିଛି। ଜେନେରାଲ ରାୱତଙ୍କ ସମେତ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ଜଣଙ୍କ ମରଶରୀର ତାମିଲନାଡୁରୁ ବିମାନ ଯୋଗେ ଗତକାଲି ଦିଲ୍ଲୀ ଅଣାଯାଇଛି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ସ୍ଥଳସେନା ନୌସେନା ଏବଂ ବାୟୁସେନା ମୁଖ୍ୟ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜେନରାଲ ରାୱତ, ମଧୁଲିକା ରାୱତ, ବ୍ରିଗେଡିୟର ଏଲ ଏସ ଲିଦ୍ଦର ଏବଂ ବିବେକ କୁମାରଙ୍କ ପାର୍ଥିବ ଶରୀରର ଚିହ୍ନଟ ହୋଇପାରିଛି। ଆଜି ରାୱତଙ୍କ ପାର୍ଥିବ ଶରୀରକୁ ତାଙ୍କ କରଜ ମାର୍ଗ ସ୍ଥିତ ବାସଭବନକୁ ନିଆଯିବ। ଦିନ ୧୧ଟାରୁ ୧୨ଟା ୩୦ ମିନିଟ ଯାଏଁ ସାଧାରଣ ଲୋକେ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାରିବେ। ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ସାଢେ ୧ଟା ଯାଏଁ ସାମରିକ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ଅପରାହ୍ନ ୨ଟା ସମୟରେ ପାର୍ଥିବ ଶରୀରକୁ ଶେଷକୃତ୍ୟ ପାଇଁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବ୍ରାର ସ୍କୋୟାର ନିଆଯିବ। ବ୍ରାର ସ୍କୋୟାର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ।
ଉଲ୍ଲେଖଯୋଗ୍ୟ, ଦେଶର ପ୍ରଥମ ସିଡିଏସଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। କେରଳଠୁ ଆରମ୍ଭ କାଶ୍ମୀର ଯାଏଁ ଜେନେରାଲ ରାୱତଙ୍କ ସମେତ ଦୁର୍ଘଟଣାରେ ଆଖି ବୁଜିଥିବା ସମସ୍ତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ସେହିପରି ଯେତେବେଳେ ରାୱତଙ୍କ ପାର୍ଥିବ ଶରୀର କୁନ୍ନୁରରୁ ଅଣାଯାଉଥିଲା ସେହି ସମୟରେ ଲୋକେ ପୁଷ୍ପ ବର୍ଷା କରି ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବାର ଦେଖିବାକୁ ମିଳିଛି। ସେପଟେ କାଶ୍ମୀରର ଲାଲ ଚୌକରେ ମଧ୍ୟ ବୀରମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।